ଦକ୍ଷିଣାଞ୍ଚଳ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାର ରାଜସ୍ୱା ସମୀକ୍ଷା ଅନୁଷ୍ଠିତ ହେବା ସହିତ ଦକ୍ଷିଣାଞ୍ଚଳର ଅନ୍ୟ ଜିଲ୍ଲା ମାନଙ୍କର ମୁଖ୍ୟ ରାଜସ୍ୱ ସମସ୍ୱା ଗୁଡିକ ସମ୍ପର୍କିତ ଆଲୋଚନା ହୋଇଯାଇଛି । ସୋମବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡିଶା ସତ୍ୟବ୍ରତ ସାହୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଗଞ୍ଜାମ ଜିଲ୍ଲାର ରାଜସ୍ୱ ବିଭାଗୀୟ ସମୀକ୍ଷା କରିବା ସହିତ ଅନ୍ୟ ୯ ଗୋଟି ଜିଲ୍ଲାର ମୁଖ୍ୟ ରାଜସ୍ୱ ସମସ୍ୱା ସମ୍ପର୍କିତ ଆଲୋଚନା କରିଛନ୍ତି । ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି. ଆଓ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୂଲାଙ୍ଗେ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦର ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ସତ୍ୟବ୍ରତ ସାହୁ ବୈଠକରେ ଅବଗତ କରାଇ ଥିଲେ ଯେ, ଜିଲ୍ଲାପାଳ ଗଣ ଜିଲ୍ଲାର ସମସ୍ତ ବିଭାଗର ଉନ୍ନୟନ କାର୍ଯ୍ୟ ଦେଖନ୍ତି ଏବଂ ସମସ୍ତ କାର୍ଯ୍ୟଗୁଡିକ ସଠିକ ସମ୍ପାଦନ ହେଉଛି ଏଣୁ ସେମାନଙ୍କର କାର୍ଯ୍ୟଧାରାରେ ନିଶ୍ଚିତ ରୂପେ ଅଧିକ ଚାପ ରହୁଛି । ଜିଲ୍ଲାପାଳଗଣ ସମସ୍ତ ଉନ୍ନୟନ କାର୍ଯ୍ୟ ସହିତ ଜନହିତକର ଯୋଜନା ଗୁଡିକ କିଭଳି ସଠିକ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେଥି ସକାଶେ ଗୁରୁତ୍ଵ ଦେଇଥାନ୍ତି । ରାଜସ୍ୱ ବିଭାଗ ସରକାରଙ୍କର ଗୁରୁତ୍ଵପୂର୍ଣ ବିଭାଗ । ସମସ୍ତ ବିଭାଗ କାର୍ଯ୍ୟ ସହିତ ଏହି ରାଜସ୍ୱ ବିଭାଗର କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ପ୍ରତି ମାସରେ ହେବା ଉଚିତ । ତେବେ ଯାଇ ସମସ୍ୱା ଗୁଡିକରେ ସୁଧାର ଆସିବ ଏବଂ ଜନସାଧାରଣ ରାଜସ୍ୱ ସେବା ସୁବିଧାରେ ପାଇବା ନିମନ୍ତେ ପଥ ପରିଷ୍କାର ହେବ । ଜମିଜମା ସମ୍ପର୍କିତ ସମସ୍ଯା, କୋର୍ଟ ସମସ୍ୱା,ସେଟଲମେଣ୍ଟ ସମସ୍ୱା ପ୍ରଭୃତି ଅନେକ ସମସ୍ୱା ସମାଧାନ ଦିଗରେ ରାଜସ୍ୱ ବିଭାଗକୁ ଅଧିକ ଚଳଚଞ୍ଚଳ କରିବାକୁ ହେବ । ଏହି ଦିଗରେ ଜିଲ୍ଲାପାଳ ଗଣ ଦ୍ରୁଷ୍ଟି ଦିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ରାଜସ୍ୱ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା’ ନେଇ ଜିଲ୍ଲାପାଳଗଣ ଧ୍ୟାନ ଦେବାକୁ ସେ ଗୁରୁତ୍ଵ ଦେଇଥିଲେ । ରାଜସ୍ୱ ବିଭାଗରେ ତହସିଲଦାର ମାନଙ୍କର ଗୁରୁତ୍ଵପୂର୍ଣ ଭୂମିକା ରହିଛି । ଜମି ଜମା ସମାଧାନ, ରାଜସ୍ୱ ଆଦାୟ ସମେତ ଜନସାଧାରଣଙ୍କୁ ଯୋଗଯାଉଥିବା ସେବା ଗୁଡିକ କିଭଳି ବିଳମ୍ବ ନକରି ସିମୀତ ସମୟସୀମା ମଧ୍ୟରେ ଯୋଗାଇ ଦିଆଯାଇପାରିବ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ଜମି ଅଧିଗ୍ରହଣ ଓ ହସ୍ତାନ୍ତର କାର୍ଯ୍ୟ କୁ ଅଧିକ କ୍ରିୟାଶୀଳ କରିବା ଜଣାଇ ଦର୍ଶାଇଥିଲେଯେ ରେଳବାଇ ଯୋଜନା, ଜାତୀୟ ରାଜପଥ ଯୋଜନା, ଜଳ ସେଚନ ଯୋଜନା, ରିଂ ରୋଡ୍ ଯୋଜନା ପ୍ରଭୃତି ଯୋଜନା ଗୁଡିକ କାର୍ଯ୍ୟକାରିତା ଦିଗରେ ଜମିର ଆବଶ୍ୟକତା ରହିଛି । ଏଣୁ ସଂପୃକ୍ତ ସଂସ୍ଥାକୁ ଜମି ଯୋଗାଇ ଦେବାରେ ଅହେତୁକ ବିଳମ୍ବ ନ କରି ଯେତେଶୀଘ୍ର ସମ୍ଭବ ସେହି କାମ ଶେଷ ହେଲେ ଲୋକେ ଯଥାଶୀଘ୍ର ଉପକୃତ ହେବେ । ଉନ୍ନୟନ କାର୍ଯ୍ୟରେ ଲଘୁ ଖଣିଜ ଖାଦାନ ଆବଶ୍ୟକ, ଏଣୁ ସେଗୁଡିକୁ ନିୟମିତ କରି ଯୋଗାଇ ଦେବା ଦିଗରେ ବିଳମ୍ବ ଯେମିତି ହେବନାହିଁ ସେଥି ପ୍ରତି ଦୃଷ୍ଟି ଦିଅନ୍ତୁ । ଗ୍ରାମକଣ୍ଠ ପରମ ଭୋଗର ସମସ୍ତ ସରକାରୀ ଅନୁମୋଦନ କରିବାକୁ ପଦକ୍ଷେପ ନିଅନ୍ତୁ । କନିଷି ତହସିଲ ଅଞ୍ଚଳରେ ସିଭିଲ୍ କୋର୍ଟ ନିର୍ମାଣ ନିମନ୍ତେ ମାନ୍ୟବର ହାଇକୋର୍ଟ ଓଡିଶା ମୁଖ୍ୟ ବିଚାରପତି ପରିଦର୍ଶନ ବେଳେ ଜମି ଚିହ୍ନଟ କରିଥିଲେ । ତାହା ସରକାରଙ୍କ ଅନୁମୋଦନ ସକାଶେ ପଦକ୍ଷେପ ଗୁଡିକ ତ୍ବରାନ୍ବୀତ କରାଯିବ । ଇ- ପାଉତିରେ ପ୍ରସାର ପ୍ରଚର କରାଗଲେ ଜନ ସାଧାରଣ ଖଜଣା ଜମା କରିବା ଦିଗରେ ସୁବିଧା ହାସଲ କରିପାରିବେ । ରାଜ୍ୟର ପ୍ରତି ଅଞ୍ଚଳରେ ଆର୍.ଆଇ୍. କାର୍ଯ୍ୟାଳୟ ନିର୍ମାଣ ହେବ । ଆର୍.ଆଇ୍. କାର୍ଯ୍ୟାଳୟ ଗୁଡିକ ଗ୍ରାମର ନିକଟରେ ନିର୍ମାଣ ହେବ । ତଦ୍ବାରା ଜନ ସାଧାରଣ ଅନେକ ଉପକୃତ ହେବେ । ଏଣୁ ଜମି ଚିହ୍ନଟ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଆସନ୍ତା ୨୦୨୩ ମସିହା ମାର୍ଚ୍ଚ, ଏପ୍ରିଲ୍ ସୁଦ୍ଧା ଉକ୍ତ ଆର୍.ଆଇ୍. କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ । ଜିଲ୍ଲାର ସର୍କିଟ୍ ହାଉସ୍ ଗୁଡିକ ଜିଲ୍ଲାପାଇଁ ଗର୍ବ ଓ ଗୌରବର ବିଷୟ । ଏଣୁ ସେଗୁଡିକରେ ସମସ୍ତ ସୁବିଧା କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ଗୋପାଳପୁର ସର୍କିଟ୍ ହାଉସ୍ କୁ ସୁଧାର କରାଯିବାର କାର୍ଯ୍ୟକ୍ରମ ରହିଅଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟରେ ଥିବା ରେକର୍ଡ ରୁମ୍ ର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଓ.ଆର୍.ଏସ୍. ଏବଂ ଓ.ଏ.ଏସ୍. ଅଧିକାରୀଗଣ ସେମାନଙ୍କ ପଦୋନ୍ନତି ସକାଶେ ଭୁବନେଶ୍ବର ଯିବା ଆବଶ୍ଯକ ନାହିଁ । ସେମାନେ ପୋର୍ଟାଲରେ ସେମାନଙ୍କ ଆବେଦନ ଦାଖଲ କରନ୍ତୁ । ସେଗୁଡିକ ବିଚାର କରାଯାଇ ପଦକ୍ଷେପ ଗ୍ରହଣ କରାଯିବ । ଲଘୁ ଖଣିଜ ଜାତ କିଭଳି ଚୋରାଚାଲାଣ ହେବ ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ ଜଣାଇଥିଲେ । ସରକାରୀ ବିଦ୍ୟାଳୟ ଏବଂ ଯୁକ୍ତ ୨ ବିଦ୍ୟାଳୟ ଗୁଡିକ ନିମନ୍ତେ ପଟ୍ଟା ପ୍ରଦାନ କରିବା ଦିଗରେ ବିଳମ୍ବ ନ କରିବାକୁ ଜଣାଇଥିଲେ । ରାଜସ୍ୱ ମାମଲା ଗୁଡିକ ପକାଇ ନରଖି ନିୟମ ଅନୁଯାୟୀ ଫୈସଲା କରି ହିତାଧିକାରୀଙ୍କ ଜଣାଇବାକୁ କହିଥିଲେ ।
ଖାରିପାଣି ଚିଙ୍ଗୁଡି ଚାଷ ସକାଶେ ଲିଜ୍ ଆକାରରେ ଜମି ଯୋଗାଣ କଲେ ଚିଙ୍ଗୁଡି ଚାଷର ଉନ୍ନତି ହେବ, ରାଜସ୍ୱା ବଢିବ, ଲୋକେ କର୍ମ ନିଯୁକ୍ତି ପାଇବେ ଏବଂ ଶିଳ୍ପର ଅଭିବୃଦ୍ଧି ହେବ । ଏଣୁ ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ । ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଗୁଡିକରେ ଅନ୍ ଲାଇନ୍ ସେବା କରିବାକୁ ଜଣାଇଥିଲେ । ତତ୍ ସହିତ କେଉଁ ସେବା ବାବଦକୁ କେତେ ଟଙ୍କା ପୈଠ କରିବାକୁ ପଡିବ ସେ ସମ୍ପର୍କରେ ତାଲିକା ପ୍ରସ୍ତୁତ କରି ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଜଣାଗଲେ ଦଲାଲ୍ ମାନଙ୍କ ଠକାମିରୁ ଜନ ସାଧାରଣ ବର୍ତ୍ତିପାରିବେ । ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ମୁଖ୍ୟ ରାଜସ୍ୱା ସମସ୍ୟା ଓ ସରକାରଙ୍କ ଠାରେ ଅନୁମୋଦନ ନିମିତ ପଡିଥିବା ଚିଠା ସମ୍ପର୍କରେ ଅବଗତ କରାଇଥିଲେ । ଓଡିଶା ସରକାର ରାଜସ୍ୱ ବିଭାଗୀୟ ଯୁଗ୍ମ ଶାସନ ସଚିବ ଅମୀୟ କୁମାର ସାହୁ ଯୋଗଦେଇ ବିଭିନ୍ନ ଜିଲ୍ଲାର ସମସ୍ୟା ଓ ଏହାର ସମାଧାନ ଦିଗରେ ନିଜର ମତ ରଖିଥିଲେ । ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କିର୍ତ୍ତିଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପ ଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ରାଜସ୍ୱ କମିଶନର ସଚିବ ସୁଜାତା ସାହୁ , ଅତିରିକ୍ତ ସଚିବ ରଞ୍ଜନ କୁମାର ବିଶ୍ବାଳ, ଅନୁସଚିବ ପାର୍ବତୀ ମଞ୍ଜରୀ ମହାଳିକ, ଜିଲ୍ଲାର ତହସିଲଦାର, ରେଜିଷ୍ଟର ଅଧିକାରୀ ଏବଂ ରାଜସ୍ୱ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ