ଦକ୍ଷିଣ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ-୨ ଶିଶୁ ଜୀବନ୍ତ ଜଳିଗଲେ
ଦକ୍ଷିଣ ଦିଲ୍ଲୀର ଶାହେନ ବାଗରେ ଥିବା ଏକ ୪ ମହଲା କୋଠାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଶର୍ଟ ସର୍କିଟ ଯୋଗୁ ଏଭଳି ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ଆଜି ମଧ୍ୟାହ୍ନ ପ୍ରାୟ ୧.୦୬ରେ ବିଲଡିଂରେ ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ମିଳିଥିଲା। ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବିଲଡିଂ ମଧ୍ୟରେ ଥିବା ଦୁଇ ଜଣ ଶିଶୁ ଜାଇଦ୍ ଓ ଆୟେଶାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ହେଁ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ନିଆଁ ଲିଭା କାର୍ୟ୍ୟରେ ୬ଟି ଦମକଳ ସହ ଘଟଣାସ୍ଥଳରେ ଏବେ ବି ୪ଟି ଆମ୍ବୁଲାନ୍ସ ରହିଛି। ଅଗ୍ନିକାଣ୍ଡ ପରେ ୪ ମହଲା କୋଠାଟିର ପ୍ରଥମ ମହଲାଟି ସଂପୂର୍ଣ୍ଣ ଭାବେ ଧ୍ୱଂସସ୍ତୂପ ପାଲଟି ଯାଇଛି। ଦମକଳ ବାହିନୀର ସତର୍କତା ଯୋଗୁ ନିଆଁ ଅନ୍ୟ ମହଲାକୁ ବ୍ୟାପି ନଥିବା ଜଣାପଡ଼ିଛି।