ଦକ୍ଷିଣ ମୋଡ ଆଗକୁ

ଗୁଣ୍ଡିଚା ମନ୍ଦିରେ
ମନ ତୃପ୍ତିହେଲା
ମାଆ ହାତ ରନ୍ଧା ଖାଇ,
ଯେତେ ସୁଖ ଦୁଃଖ
ସବୁ ସରିଗଲା
ଶ୍ରୀମନ୍ଦିର ଯିବା ଭାଇ ।

ରଥ ହୋଇଅଛି
ଉତ୍ତରକୁ ମୁହଁ
ଦକ୍ଷିଣକୁ ମୋଡ କର,
ଶ୍ରୀମନ୍ଦିରେ ଲକ୍ଷ୍ମୀ
ଏକା ରହିଛନ୍ତି
ଦିଶିବ ମୁହଁ ତାଙ୍କର ।

ଭୁଲିଗଲୁ ତାଙ୍କୁ
ସଙ୍ଗେ ଆଣିବାକୁ
ଭକତଙ୍କ ଭାବେ ପଡି,
ଏଣୁ ବଡ ଭାଇ
ସଙ୍ଗତେ ଆସିଲେ
ତେଣୁ ଲକ୍ଷ୍ମୀଦେଲୁ ଛାଡି ।

ଓଡ଼ିଆ ଘରର
ବଢିଆ ସଂସ୍କୃତି
ଭାଇବୋହୂ ଦେଢଶୂର,
କେହି କାହା ମୁହଁ
ଚାହିଁ ନ ପାରିବେ
ହେଉ ଯେତେବଡ ଘର ।

ସବୁ ଜାଣି ଲକ୍ଷ୍ମୀ
ରୋଷ ବହିଛନ୍ତି
ଭେଟିବାକୁ ଲାଗେ ଭୟ,
ରଥ ଚକ ଭାଙ୍ଗି
ମୋହ ଚୂର୍ଣ୍ଣ ଫିଙ୍ଗି
ନ ଚାହିଁଲେ ରାଗେ ମୁହଁ।

ନବମୀ ଦର୍ଶନ
ଭକତଙ୍କୁ ଦେଇ
ଦଶମୀରେ ବାହୁଡିବା,
ସୁନାବେଶ ସାଥେ
ଅଧର ପଣାକୁ
ବିଧିମତେ ସାରିଦେବା ।

ତହିଁ ପରେ ହେବ
ନୀଳାଦ୍ରୀବିଜୟ
କିଏ ଆଗେ ଯିବ ଭୟ,
କବାଟ ଖିଡିକୀ
ଲକ୍ଷ୍ମୀ କିଳିଛନ୍ତି
ଫିଟିବା ସହଜ ନୁହଁ ।

ପଛେ ରହି ଆଗେ
ଭାଇଙ୍କି ଛାଡିବି
ଗରବ ତାଙ୍କ ଭାଙ୍ଗିବି,
ଲୁଣିଆଁ ଝିଅର
ଯେତେ କ୍ରୋଧ ଲୁଣ
ଅଲଣା କରାଇ ଦେବି ।

ଦେଢଶୂର ବୋଲି
ବଡ଼ଠାକୁରଙ୍କୁ
ବାଟ ଓଗାଳିବେ ନାହିଁ,
ତାଙ୍କରି ଛାଇରେ
ଶୁଭଦ୍ରା ଗେହ୍ଲେଇ
ଲୁଚିକି ଯିବ ପଳେଇ ।

ହେଲେ ହେବ କଳି
ଏକା ମୋର ସାଥେ
ବଳେଇବେ ନାହିଁ ମୋତେ,
ବଳଦେବ ଭାଇ
ବଳ ଦେଇଛନ୍ତି
ରସଗୋଲା ଦେବି ହାତେ ।

ଲକ୍ଷ୍ମୀନାରାୟଣ
ବଚନିକା ଭାବ
ଶୁଣିବେ ଜଗତ ଜନ,
ଦାମ୍ପତ୍ଯ କଳହ
ସମାଧାନ ସୁତ୍ର
ସଂସାରେ କି ପ୍ରୟୋଜନ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ