ଦଣ୍ଡନାଚ କୁ ଅନୁମତି ପ୍ରଦାନ ନିମନ୍ତେ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା): କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ରହିଥିଲା । ଫଳରେ ଏହି ସବୁ କାର୍ଯ୍ୟକ୍ରମରେ ନିୟୋଜିତ ହେଉଥିବା କଳାକାର,ଲାଇଣ୍ଡ ଏଣ୍ଡ ସାଉଣ୍ଡ ର କର୍ମକର୍ତ୍ତା,ସଙ୍ଗୀତ ନିର୍ଦ୍ଦେଶକ, ଚିତ୍ରାଳୟ ସଂସ୍ଥା ଗୁଡିକର କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ପରିସ୍ଥିତିରେ ସୁଧାର ଆସିଥିବା ଯୋଗୁଁ ଚଳିତ ବର୍ଷ ଦଣ୍ଡନାଚ ପାଇଁ ଅନୁମତି ପ୍ରଦାନ ନିମନ୍ତେ ଗୁରୁବାର ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକ ପତ୍ରରେ ଦଣ୍ଡନାଚ ଉପରେ ସମଗ୍ର ଓଡିଶାର ମଞ୍ଚ କଳାକାର , ସଙ୍ଗୀତ ନିର୍ଦ୍ଦେଶକ,ପେଷାଦାର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପେଟପାଟଣା ନିର୍ଭର କରିଥାଏ ।ପୁଣି ବର୍ଷସାରା ମନ୍ଦିରର ଭୋଗରାଗ, ପୁଜାରୀ ବ୍ରାହ୍ମଣଙ୍କ ଖର୍ଚ୍ଚ, ବାରମାସ ମନ୍ଦିରର ବିଭିନ୍ନ ଯାନିଯାତ୍ରା ମଧ୍ୟ ଏହି ଦଣ୍ଡନାଚର ଆଦାୟ ଟଙ୍କାରେ ହିଁ ହୋଇଥାଏ । ପ୍ରତିବର୍ଷ ଦଣ୍ଡନାଚ ର ତିନି ମାସ ପୂର୍ବରୁ ଦଣ୍ଡନାଚ ପାଇଁ କଳାକର ମାନେ ନିଜକୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ବୋଲି ସେମାନେ ଦର୍ଶାଇଛନ୍ତି । ଏହା ସହ ସରକାରଙ୍କ ସମସ୍ତ ବର୍ତ୍ତମାନର ସୁରକ୍ଷା ନିୟମକୁ ପାଳନ କରି ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଶୃଙ୍ଖଳାର ସହିତ ପାଳନ କରିବୁ ବୋଲି ସେମାନେ କହିଛନ୍ତି । ଏଣୁ ପ୍ରଶାସନ ସେମାନଙ୍କ ପ୍ରତି ଦରଦି ହୋଇ କଳାକାରଙ୍କ ସ୍ୱାଭିମାନକୁ ଦୃଷ୍ଟିରେ ରଖି ସେମାନଙ୍କ ପେଟପାଟଣା ରେ ସହ ଯୋଗ କରିବା ପାଇଁ ସେମାନେ ଉକ୍ତ ସ୍ମାରକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସଭାପତି ଶିବରାମ ପ୍ରଧାନ, ଉପସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଶରତ ଚନ୍ଦ୍ର ସାହୁ, ସହ ସମ୍ପାଦକ ଗୌରହରି ମହାରଣା , ଡି.ଭାସ୍କର ପାତ୍ର, ସିମାଞ୍ଚଳ ଶତପଥୀ ଓ କାହ୍ନୁ ଚରଣ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।


