ଦନେଇପୁର ଗ୍ରାମର ୩ଜଣ ବିଧବା ଭତ୍ତା ପାଇବାରୁ ବଞ୍ଚିତ

ହାଟଡ଼ିହି, (ସୌମ୍ୟରଞ୍ଜନ ଆଚାର୍ଯ୍ୟ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତ ଦନେଇପୁର ଗ୍ରାମରେ ତିନିଜଣ ବିଧବା ବର୍ଷ ବର୍ଷ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଥିବା ଜଣାଯାଇଛି । ଏହି ଗ୍ରାମର ମଞ୍ଜୁ ନାଏକ, ତୁଳସୀ ପାତ୍ର, ପାଗଳି ପାତ୍ର ଦୀର୍ଘ ବର୍ଷ ହେଲା ଭତ୍ତା ପାଇଁ ପଞ୍ଚାୟତରୁ ବ୍ଲକକୁ ଦୌଡୁଥିଲେବି ଆଜି ପର୍ଯ୍ୟନ୍ତ ତାଙ୍କର ଭତ୍ତା ହୋଇପାରୁ ନାହିଁ । ମଞ୍ଜୁ ନାଏକଙ୍କ ସ୍ୱାମୀ ଆକ୍ଷୟ ନାଏକ ଦୀର୍ଘ ୮ବର୍ଷ ହେଲା ମୃତ୍ୟୁବରଣ କରିଥିଲେବି ସେ ଆଜି ପର୍ଯ୍ୟନ୍ତ ଭତ୍ତା ପାଇପାରି ନାହାନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ମହିଳା ହୋଇଥିବାବେଳେ ଭତ୍ତା ପାଇଁ ସେ ଅନେକ ଟଙ୍କା ଦଲାଲଙ୍କୁ ଦେଇ ଦେଇ ନିରାଶ ହୋଇପଡିଛନ୍ତି । ସେହିପରି ତୁଳସୀ ପାତ୍ରଙ୍କ ସ୍ୱାମୀ ସାଗର ପାତ୍ର ୫ବର୍ଷ ତଳୁ ମୃତ୍ୟୁବରଣ କରିବା ପରେ ଅତି ଦୁଃଖ କଷ୍ଟରେ ଚଳୁଛନ୍ତି । ସେ ଭତ୍ତା ଖଣ୍ଡିଏ ପାଇଁ ପଞ୍ଚାୟତରେ ତିନିତିନି ଥର ଆବଦେନ କରିଥିଲେବି ତାଙ୍କ କଥା କେହି ବୁଝିଲେନି । ଫଳରେ ସେ ଭତ୍ତା ପାଇବା ଆଶା ଛାଡିଦେଇ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ସେହିପରି ପାଗଳି ପାତ୍ରଙ୍କ ସ୍ୱାମୀ ଜଳଧର ପାତ୍ର ଗତ ୯ବର୍ଷ ତଳୁ ମୃତ୍ୟୁବରଣ କରିଥିଲେବି ଆଜି ପର୍ଯ୍ୟନ୍ତ ଭତ୍ତା ଦିଆଯାଇ ନାହିଁ । ଏହି ପଞ୍ଚାୟତରେ ଅନେକ ଅଯୋଗ୍ୟ ବ୍ୟକ୍ତିଙକୁ ଭତ୍ତା ଦିଆଯାଉଥିବାବେଳେ ଆମକୁ କିଏ ପଚାରୁଛି ବୋଲି ସେ କ୍ଷୋଭ ଭରା କଣ୍ଠରେ କହିଛନ୍ତି । ସେ ଅନେକ ଥର ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କ ଭତ୍ତା କାଗଜ କେଉଁଆଡେ ଯାଉଛି ସେ ଜାଣିପାରୁ ନାହାନ୍ତି ବୋଲି କହିଛନ୍ତି । ୬୦ବର୍ଷ ପରେ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିବାବେଳେ ଏବେ ସେ ୬୭ବର୍ଷର ବୃଦ୍ଧା ହୋଇଥିଲେବି ଭତ୍ତା ପାଇବାରୁ ବଞ୍ଚିତ ହୋଇ ଅତି ଦୁଖଃକଷ୍ଟରେ ଦିନ କାଟୁଛନ୍ତି । ଔଷଧ ପତ୍ର କିଣିବାପାଇଁ ପରକୁ ହାତପାତୁଛନ୍ତି ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ବିଧବା ମାନଙ୍କୁ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ଭତ୍ତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ