ଦନେଇପୁର ରାସ୍ତା ଅଧାପନ୍ତରିଆ ନିର୍ମାଣ କରି ଠିକାଦାର ଛୁ,
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଆର.ଡି ବିଭାଗ ଅଧିନରେ ଥିବା ହାଟଡିହି ବ୍ଲକ ରାମକୃଷ୍ଣପୁର-ଦନେଇପୁର ରାସ୍ତାକୁ ଠିକାଦାର ଅଧାପନ୍ତରିଆ ଭାବେ ପକାଇଦେଇ ଛୁ ମାରିବାରୁ ଗାଁ ଲୋକେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ରାସ୍ତାଟି ଗତ ୧୦ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ଏହି ରାସ୍ତା ଉପରେ ଦନେଇପୁର ଗ୍ରାମର ହଜାରେରୁ ଉର୍ଦ୍ଧ ଲୋକ ଯାତାୟତ କରନ୍ତି । ଗାଁ ଭିତରକୁ ଯିବାପାଇଁ ଏହି ଗୋଟିଏ ରାସ୍ତା ହୋଇଥିବାରୁ ସମସ୍ତ ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ । ଦୀର୍ଘବର୍ଷ ପରେ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଯିବାପରେ ଗ୍ରାମବାସୀଙ୍କ ଦାବିପରେ ଆର.ଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଠିକାଦାର ରାସ୍ତାଟିରୁ ପୁରୁଣା ପିଚୁ ତାଡିଦେଇ କିଛି ଅଂଶ କାମ କରିବାପରେ କାମ ବନ୍ଦ କରିଦେଇ ପଳାଇଛି । ଫଳରେ ରାସ୍ତାରେ ଏବେ ପୁରୁଣା ମେଣ୍ଟଲ ଗୁଡିକ ଛିନଛତ୍ର ଭାବେ ଏଣେତେଣେ ବିଛାଇ ହୋଇପଡିଥିବାରୁ ସାଇକେଲ ତ ଦୁରର କଥା ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ଗ୍ରାମବାସୀମାନେ ଏସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ବିଭଗୀୟ ଅଧିକାରୀ ମାନେ ହେବ ହେବ ବୋଲି କହି ସମୟ ଗଡାଇ ଚାଲିଛନ୍ତି ବୋଲି ଗ୍ରାମର ସୁରଥ ପାଣିଗ୍ରାହୀ, ଅମୁଲ୍ୟ କୁମାର ମିଶ୍ର, ସନାତନ ସେଠୀ, ସନାତନ ପାତ୍ର, ଦୈତାରୀ ଦେହୁରୀ, ମାଧବ ପାଣିଗ୍ରାହୀ, କାହ୍ନୁ ଚରଣ ପାତ୍ର, ବାବନ ଭୁୟାଁ, ମନୋରଞ୍ଜନ ମିଶ୍ର, ଗଣେଷ ପାଣିଗ୍ରାହୀ ପ୍ରମୁଖ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଭାଗିଦାରୀରେ ଏହି କାର୍ଯ୍ୟ ହେଉଥିବାରୁ ଆମ ମମାନଙ୍କ ଅଭିଯୋଗ ବିଭାଗୀୟ ଯନ୍ତ୍ରୀ ଶୁଣୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ ବର୍ଷାଦିନ ପାଇଁ ପିଚୁ କରାଯାଇପାରି ନଥିଲା ଏବେ ପିଚୁ ପକାଯିବା ପାଇଁ ବ୍ୟବସ୍ଥା ଚାଲିଛି । ମାତ୍ର ପୁର୍ବତନ ସହକାରୀ ଯନ୍ତ୍ରୀ ନିମ୍ନମାନର କାମ ପାଇଁ ଏହାକୁ ବନ୍ଦ କରିଦେଇଥିଲେ ବୋଲି ଶୁଣିବାକୁ ମିଳୁଛି । ସେ ଯାହାବି ହେଉ ତିନିମାସ ହେବ ବର୍ଷାଦିନ ଯାଇ ଶୀତଦିନ ସରିବାକୁ ବସିଲାଣି ବ୍ଲକର ଅନେକ ରାସ୍ତା ଏହାରି ମଧ୍ୟ ନିର୍ମାଣ ସରିବାକୁ ବସିଥିବାବେଳେ କାହିଁକି ଆଜି ପର୍ଯ୍ୟନ୍ତ ରାସ୍ତା ନିର୍କାଣ କରାଯାଉ ନାହିଁ ତାହାକୁନେଇ ଗ୍ରାମବାସୀମାନେ ସନ୍ଦିହାନ ହୋଇପଡିଛନ୍ତି । ଆର.ଡି ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ନଚେତ ହାଟଡିହି ଆର.ଡି ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।


