ଦନ୍ତା ଆକ୍ରମଣରେ ମାଈ ହାତୀ ମୃତ
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଂ ରେଞ୍ଜ ରେ ମାଇ ହାତୀର ମୃତ ଶରୀର ଉଦ୍ଧାର । ସୁଚନାନୁସାରେ , ଗାୟଗଣ୍ଡା ସେକ୍ସନ ଅନ୍ତର୍ଗତ କଳିଙ୍ଗପଦର ନିକଟରେ ଥିବା ପସାରୁଣୀ ନାଳରେ ଏକ ମାଈହାତୀ ମୃତ ଶରୀରକୁ ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ବନବିଭାଗ କର୍ମଚାରୀମାନେ ସେଠାରେ ପହଂଚି ମୃତ ହାତୀର ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ମୃତ ମାଈ ହାତୀର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ରହିଥିବାରୁ ହାତୀ ମାନଙ୍କ ଭିତରେ ଜୋରଜାର ଲଢେଇ ହୋଇଥିବାର ଅନୁମାନ କରାଯିବା ସହିତ କୌଣସି ଏକ ଦନ୍ତା ହାତୀର ଆକ୍ରମଣରେ ମାଈ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ଓ ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି ।