ଦମ୍ପତିଙ୍କୁ ଆକ୍ରମଣ ଓ ଜାତିଆଣ ଆକ୍ଷେପ ଅଭିଯୋଗ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା  ବି . ତୁରୁବୁଡି ଗ୍ରାମର ଏକ  ଦମ୍ପତିଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ଓ ତାଙ୍କ ମାଆ ନିସ୍ତୁକ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଥାନା ରେ ଏତଲା ଦିଆଯାଇଥିଲା। ପୋଲିସ ଅଭିଯୁକ୍ତ ଙ୍କ ବିରୋଧରେ ମାମଲା ରୁଜୁ କରିନଥିଲେ। ପରେ ଘଟଣା ସମ୍ପର୍କରେ ବ୍ରହ୍ମପୁର ଏସ.ପି ଶ୍ରବଣ ବିବେକ ଏମ ଙ୍କୁ ଅବଗତ କରାଯାଇଥିଲା। ଏସ. ପି ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ ଥାନା ମାମଲା ନଂ.୪୦୮/୨୨ ଦଫା – ୨୯୪/୩୨୩/୫୦୬/୩୫୪(ଖ) ଏବଂ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା  ଜଣାପଡିଛି। ଏତଲା ପ୍ରକାରେ , ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି.ତୁରୁବୁଡ଼ି ଗ୍ରାମର ପି . ତ୍ରିନାଥ ରେଡ୍ଡୀ ଗୋଆର ଏକ କମ୍ପାନୀରେ ଠିକା କାମ କରୁଥିବା ବେଳେ ତ୍ରିନାଥ ଆଖପାଖ ଅଞ୍ଚଳର ବହୁ ଗରୀବ ଲୋକମାନଙ୍କୁ ସେଠାକୁ ନେଇ କାର୍ଯ୍ଯରେ ଲଗାଇ  ଆସୁଥିବା ବେଳେ  ଗ୍ରାମର ମନୋଜ ନାଇକ ମଧ୍ୟ ଦୀର୍ଘ ୮ ରୁ ୯ ବର୍ଷ ହେଲା ସେଠାରେ ଜଣେ ଶ୍ରମିକ ଭାବେ କାମ କରି ଆସୁଛନ୍ତି । ତେବେ ପ୍ରାୟ ଏକ ମାସ ପୂର୍ବେ ମନୋଜ ନିଜ ମାଆଙ୍କ ଶ୍ରାଦ୍ଧ ପାଇଁ ଗ୍ରାମକୁ ଆସି ଆଉ କାମକୁ ଯାଇନଥିଲେ । ଏହି ସମୟରେ ମନୋଜ ତ୍ରିନାଥଙ୍କ ପୁଅ  ପି . କ୍ରିଷ୍ଣାଙ୍କ ଠାରୁ ୮ ହଜାର ଟଙ୍କା ଆଣିଥିଲେ । ଯାହାକୁ ନେଇ ଗତ ନଭେମ୍ବର ୨୭ ତାରିଖ ରାତି ପ୍ରାୟ ୭ ଟା  ସମୟରେ କ୍ରିଷ୍ଣା  ମନୋଜ ଙ୍କ ଘରକୁ ଯାଇ  କାହିଁକି କାମକୁ ଯାଉନାହଁ ବୋଲି ପ୍ରଶ୍ନ କରିଥିଲେ । ନଚେତ୍ ମୋ ଠାରୁ ନେଇଥିବା ୮ ହଜାର ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ । ଏହାର ପ୍ରତିବାଦରେ ମନୋଜ ମୁଁ ଦୀର୍ଘ ବର୍ଷ ଧରି ତୁମ ବାପା ଙ୍କ ପାଖରେ କାମ କରିବା ପରେ ମଧ୍ୟ ମୋ ବକେୟା ପାଉଣା  ୪୦ ହଜାର ଟଙ୍କା  ବର୍ତ୍ତମାନ ସୁଦ୍ଧା ସେ ଦେଉନାହାନ୍ତି । ଯଦି ମୋର ବକେୟା ଟଙ୍କା ନଦେଲେ ମୁଁ ଆଉ କାମକୁ ଯିବି ନାହିଁ ବୋଲି କହିବା ପରେ କ୍ରିଷ୍ଣା ଓ ମନୋଜ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କ୍ରିଷ୍ଣା ଉତ୍ତେଜିତ ହୋଇ ମନୋଜକୁ ତଳେ ପକାଇ ଆକ୍ରମଣ କରିଥିଲେ । ମନୋଜଙ୍କ ସ୍ତ୍ରୀ ବିଜୟ ଲକ୍ଷ୍ମୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ କ୍ରିଷ୍ଣା ଗାଁ ରାସ୍ତାରେ ଟଣାଓଟରା କରିବା ସହ  ତାଙ୍କ ମାଆ ପି. ଏରେମା  ମିଶି ଉଭୟଙ୍କୁ ମାରପିଟ୍ କରିଥିବା ଏତଲାରେ ଉଲ୍ଲେଖ ରହିଛି ।  ଘଟଣାର ଦୀର୍ଘ ୭ ଦିନ ବିତି ଯାଇଥିଲେ ମଧ୍ୟ ଦୋଷୀଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ବିଜୟ ଲକ୍ଷ୍ମୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏସ.ପି ଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ଏସ ଡି ପି ଓ କୃଷ୍ଣଚନ୍ଦ୍ର ଭତ୍ରା ଏହି ମାମଲାର ତଦନ୍ତଭାର ଗ୍ରହଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ