ଦମ୍ପତିଙ୍କ ଠାରୁ ଅଭିନବ ଉପାୟରେ ଲୁଟିଲେ ୨୦ ହଜାର ଟଙ୍କା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଲୁଟେରା ମାନେ ବିଭିନ୍ନ ଉପାୟରେ ସାଧାରଣ ଜନତାଙ୍କ ଠାରୁ ଲୁଟିବାରେ ସକ୍ଷମ ହେଉଛନ୍ତି । ହିଂଜିଳି ଥାନା ଅଂଚଳରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ବୁଧବାର ଜୈନିକ ଚାଷୀଙ୍କ ଠାରୁ ଲୁଟେରା ମାନେ ଅଭିନବ ଉପାୟରେ ୨୦ ହଜାର ଟଙ୍କା ଲୁଟିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଏଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ପ୍ରକାଶ ଯେ, ହିଂଜିଳି ଥାନା ପଳାସି ଗ୍ରାମ ହରିଜନ ସାହି ବାସିନ୍ଦା କାଳିଆ ଦାସ ଓ ତାଙ୍କ ଧର୍ମ ପତ୍ନି ବୁଧବାର ଅପରାହ୍ନରେ ମହିଳା ଗୃଫ ବାବଦକୁ ଆସିଥିବା ଟଙ୍କା ଉଠାଣ ସକାଶେ ହିଂଜିଳି ଥାନା ବେଲଗାଁ ୟୁନାଇଟେଡ଼ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କରୁ ୨୦ ହଜାର ଟଙ୍କା ଉଠାଣ ପରେ ବ୍ୟାଙ୍କ ପରିସରରୁ ବାହାରକୁ ଆସିବା ପରେ ଉକ୍ତ ସମୟରେ ଏକ ଅଚିହ୍ନା ଯୁବକ ବାଇକ ଯୋଗେ ଆସି ଦମ୍ପତିଙ୍କୁ ନିଜକୁ ବ୍ୟାଙ୍କ ଶାଖା ପରିଚାଳକ ଭାବେ ପରିଚୟ ଦେଇ କାଳିଆ ଯୋଜନାରେ ତୁମରି ଟଙ୍କା ଆସିଛି ଏବଂ ଏକ ନିର୍ଦ୍ଧିଷ୍ଟ ଯୋଜନାରେ ଟଙ୍କା ଜମା କଲେ କମ୍ ଦିନରେ ଟଙ୍କା ଦ୍ୱିଗୁଣିତ ହେବ ବୋଲି ପ୍ରଲୋଭନ ଦେଖାଇଥିଲା । ଦମ୍ପତି ଯୁବକଙ୍କ ପ୍ରଲୋଭନର ଶିକାର ହୋଇ ଏକ ଫର୍ମରେ ଦସ୍ତଖତ କରିବା ସହ ଧରିଥିବା ୨୦ ହଜାର ଟଙ୍କା ଅଚିହ୍ନା ଯୁବକଙ୍କ ହାତକୁ ଦେଇଥିଲେ । ଟଙ୍କା ପାଇ ଯୁବକ ଜଣକ ଆଖି ପିଛୁଳାକେ ବାଇକ ଯୋଗେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଦମ୍ପତି ଲୁଟର ଶିକାର ହୋଇଥିବା ଜାଣିପାରି ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଅବଗତ କରିଥିଲେ, କିନ୍ତୁ ଏ ବାବଦରେ ହିଂଜିଳି ଥାନାରେ ଅଭିଯୋଗ କରିବା ସକାଶେ ବ୍ୟାଙ୍କ କର୍ତୁପକ୍ଷ କହିଥିଲେ । ଘଟଣା ନେଇ ହିଂଜିଳି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଏବଂ ବୁଧବାର ରାତିରେ କୌଣସି ଏକ ବ୍ୟକ୍ତିଙ୍କ ଠାରୁ ଫୋନ ଯୋଗେ ଲୁଟ ସମ୍ବନ୍ଧୀୟ ସୂଚନା ମିଳିଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ଅଗଷ୍ଟ ମାସ ୧ ତାରିଖରେ ହିଂଜିଳି ଥାନା ସାରୁ ଗ୍ରାମ ଦେଉଳବନ୍ଧ ସାହିର ଅଲେଖ ପୋଲାଇ ଟଙ୍କା ଉଠାଣ ସକାଶେ ହିଂଜିଳିକାଟୁ ସହରକୁ ଆସିଥିଲେ । ବ୍ୟାଙ୍କରୁ ୩୦ ହଜାର ଟଙ୍କା ଉଠାଣ ପରେ ସ୍ଥାନୀୟ ମିନି ଷ୍ଟାଡ଼ିୟମ ପରିସର ନିକଟସ୍ଥ ସେବା ସମବାୟ ସମିତିକୁ ଯାଇ ଋଣ ବାବଦକୁ ୨୧ଶହ ଟଙ୍କା ପୈଠ କରିବା ପରେ ଅବଶିଷ୍ଟ ୨୭୯୦୦ ଟଙ୍କା ଧରି ସେବା ସମବାୟ ସମିତି ବାହାରକୁ ଆସିଥିଲେ । ଉକ୍ତ ସମୟରେ ଏକ ଅଚିହ୍ନା ଯୁବକ ବାଇକ ଯୋଗେ ଆସି ବୃଦ୍ଧଙ୍କୁ ନିଜକୁ କେନ୍ଦ୍ର ସରକାରଙ୍କ ଏକ ଯୋଜନାର ଏଜେଂଟ ଭାବେ ପରିଚୟ ଦେଇ ବୃଦ୍ଧଙ୍କୁ ନିଜ ବାଇକ ପଛପଟେ ବସାଇ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ନିକଟକୁ ନେଇ କେନ୍ଦ୍ର ସରକାରଙ୍କଏକ ନିର୍ଦ୍ଧିଷ୍ଟ ଯୋଜନାରେ ଟଙ୍କା ଜମା କଲେ କମ୍ ଦିନରେ ଟଙ୍କା ଦ୍ୱିଗୁଣିତ ହେବ ବୋଲି ପ୍ରଲୋଭନ ଦେଖାଇଥିଲା । ବୃଦ୍ଧ ଜଣକ ଯୁବକଙ୍କ ପ୍ରଲୋଭନର ଶିକାର ହୋଇ ଏକ ଫର୍ମରେ ଦସ୍ତଖତ କରିବା ସହ ଧରିଥିବା ୨୭୯୦୦ ଟଙ୍କା ଅଚିହ୍ନା ଯୁବକଙ୍କ ହାତକୁ ଦେଇଥିଲେ । ଟଙ୍କା ପାଇ ଯୁବକ ଜଣକ ଆଖି ପିଛୁଳାକେ ବାଇକ ଯୋଗେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ହିଂଜିଳି ଥାନା ଅଂଚଳରେ ଏଭଳି ବାରମ୍ବାର ଘଟଣା ଘଟୁଥିବାରୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ପ୍ରଦାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ