ଦରଦାମ ବୃଦ୍ଧିକୁ ନେଇ ବିଜେଡି ମହିଳା ସଂଗଠନର ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ଘେରାଉ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାଜ୍ୟ ବିଜେଡି ମହିଳା ସଂଗଠନର ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଦରଦାମକୁ ନେଇ ରାଜ୍ୟ ବ୍ୟାପୀ ନିର୍ବାଚନ ମଣ୍ଡଳି ସ୍ତରୀୟ ପ୍ରତିବାଦ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଠାରେ ଗୋଷାଣୀ ବ୍ଲକ ବିଜେଡି ମହିଳା ସଂଗଠନ ତରଫରୁ ଦରଦାମ ଅହେତୁକ ବୃଦ୍ଧିକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ସ୍ଲୋଗାନମାନ ଦେଇଥିବାର ଦେଖିବାକୁ ମିଳିଥିଲା । ଘରୋଇ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଡାଲି ସହ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦିନକୁ ଦିନ ଅହେତୁକ ମୂଲ୍ୟ ବୃଦ୍ଧିପାଇବାରେ ଲାଗିଛି । ଯାହାକି ମୋଦି ସରକାରଙ୍କ ଅଛେଦିନ ନାରା ଏବେ ବୁରେଦିନରେ ପାଲଟିଛି । ଦେଶବାସୀ ଲଗାତାର ଦୁଇବର୍ଷ ହେଲା କରନା କବଳରେ କଲବଲ ହେଉଥିବା ବେଳେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟାଘାରେ ଚୂନ ଦେବା ସଦୃଶ୍ୟ ଦରଦାମ ବୃଦ୍ଧି କରି ଚାଲିଛନ୍ତି । ସେପଟେ ବିଜେପି ନେତାମାନେ ବାହାସ୍ଫଟ ମାରି ମୋଦି ସରକାରର ଜୟଜୟକାର କରି ଚାଟୁକାର ପାଲଟି ଯାଇଥିବାରୁ ଦେଶବାସୀଙ୍କ ଏହି ଘଡିସନ୍ଧିମୂହୂର୍ତ୍ତକୁ ଅଣଦେଖା କରିଚାଲିଛନ୍ତି ବୋଲି ଅଭିଯୋଗ କରିବା ସହ ଆଛା ସରକାରଙ୍କ ‘ଆଛା’ ଉପହାର ଆକାଶ ଛୁଆଁ ଗ୍ୟାସ ଦର, ତୈଳ କମ୍ପାନି ତଥା ପୁଞ୍ଜିପତି ମାନଙ୍କ ସହ ସଲାସୁତରା ଚଳିବ ନାହିଁ, ଉଜ୍ୱଳା ଯୋଜନା ଚୁଲିକି ଗଲା, କେନ୍ଦ୍ର ସରକାରଙ୍କ ଗରୀବ ମାରଣା ନୀତି ଚଳିବ ନାହିଁ ଆଦି ସ୍ଲୋଗାନମାନରେ କମ୍ପି ଉଠିଥିଲା ବ୍ଲକ କାର୍ଯ୍ୟାଳୟ ପରିସର । ବ୍ଲକର ଶତାଧିକ ବିଜୁ ମହିଳା ସଂଗଠନର ମହିଳାମାନେ ସ୍ଲୋଗାନମାନ ଦେଇଥିଲେ । ଏହି ଘେରାଉ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜୁ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ, ଗୋଷାଣୀ ବ୍ଲକ ବିଜେଡି ସଭାପତି ଇଶ୍ୱର ରାଓ, ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ମହିଳା ସଭାନେତ୍ରୀ ସଯୁକ୍ତା ବେହେରା, ମହିଳା ସମ୍ପାଦିକା ଶାନ୍ତିଲତା ଜେନ୍ନା, ମହିଳା ବ୍ଲକ ସଭାପତି ରୀତା ପାତ୍ର, ବିଜୁ ଡିଜିଟାଲ ସମ୍ପାଦିକା ଗୀତାଞ୍ଜଳୀ ରଥ, ବିଜୁ ମହିଳା ନଗର ସଭାପତି ଆମୁଲୁ ଆମ୍ମା, ବିଜୁ ମହିଳା ନଗର ଉପସଭାପତି ରାଜ ଲକ୍ଷ୍ମୀ ବରାଡ, ବିଜୁ ଯୁବ ବ୍ଲକ ସଭାପତି ପାଇଲା ନାଗେଶ୍ୱର ରାଓ, ଯୁବନେତା ସୁରେଶ ମାଝୀ, ଉମାରେଡି, କେରାଣ୍ଡି ସରପଞ୍ଚ ରେଗିଡିରାଣୀ ପ୍ରମୁଖଙ୍କ ସମେତ ବହୁ ନେତ୍ରୀ ଓ ନେତା ଏବଂ ବହୁ ବିଜେଡି ମହିଳା କର୍ମୀମାନେ ଉପସ୍ଥିତ ରହି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସଙ୍କ ଜରିଆରେ ପ୍ରଦାନ କରିଥିଲେ ।