ଦରଦାମ ବୃଦ୍ଧି ନିୟନ୍ତ୍ରଣ ଓ ମାଦକଦ୍ରବ୍ୟ ନିଷିଦ୍ଧ ଦାବିରେ ବିଧାନସଭା ସମ୍ମୁଖରେ ଏସୟୁସିଆଇ(କମ୍ୟୁନିଷ୍ଟ)ର ଗଣବିକ୍ଷୋଭ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଆଜି ରାଜ୍ୟରେ ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭରେ ସାଧାରଣ ମଣିଷର ଜୀବନ ଜୀବିକାର କେତେକ ମୌଳିକ ଦାବି ପୁରଣ ତଥା ଜ୍ୱଳନ୍ତ ସମସ୍ୟା ସମାଧାନ ଦାବିରେ ରାଜ୍ୟ ବିଧାନସଭା ସମ୍ମୁଖରେ ଏକ ରାଜ୍ୟ ସ୍ତରୀୟ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ୧୪ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରାଯିବା ସହ ୧୧ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ଚାଷି, ମୂଲିଆ, ମହିଳା, ଛାତ୍ର, ଯୁବକ, ଶ୍ରମିକ କର୍ମଚାରୀ ଆଦି ସର୍ବସ୍ତରର ସାଧାରଣ ଜନତା ଏକ ସୁସଜ୍ଜିତ ପଟୁଆରରେ ମାଷ୍ଟର କ୍ୟାଣ୍ଟିନରୁ ବାହାରି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆକାଶଛୁଆଁ ଦରବୃଦ୍ଧି ରୋକିବା, ମଦ, ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ନିଷିଦ୍ଧ, ସରକାରୀ ଜମିରୁ ଭୂମିହୀନ ଲୋକ, ବସ୍ତିବାସିନ୍ଦା ଓ ରାସ୍ତାକଡ ବ୍ୟବସାୟୀଙ୍କୁ ଉଚ୍ଛେଦ ବନ୍ଦ, ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ ପଦବୀ ପୁରଣ, ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ତୁରନ୍ତ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଶୁଳ୍କ ଛାଡ ଓ ସ୍ମାର୍ଟ ଇଲେକ୍ଟ୍ରି ମିଟର ବସାଇବା ବନ୍ଦ, ସମସ୍ତଙ୍କ ପାଇଁ ନିଯୁକ୍ତି ସୁଯୋଗ, ଦାଦନ ସମସ୍ୟାର ସ୍ଥାୟୀ ପ୍ରତିକାର, ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷାକରୀ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଏବଂ ବିଳମ୍ୱିତ ମୌସୁମୀ ବର୍ଷା ଓ ସ୍ୱଳ୍ପ ବୃଷ୍ଟି ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ, ପାଚିକା-ସହାୟିକା, ଅଙ୍ଗନବାଡ଼ି ଓ ଆଶା କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସ୍ୱାସ୍ଥ୍ୟସେବାର ଘରୋଇକରଣ ବନ୍ଦ ଓ ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସାର ବ୍ୟବସ୍ଥା ଆଦି ଦାବି ସମ୍ବଳିତ ସ୍ମାରକ ପତ୍ର ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ରଘୁନାଥ ଦାସଙ୍କ ନେତୃତ୍ୱରେ ଛବି ମହାନ୍ତି, ବିଶ୍ୱାବସୁ ଦାସ, ଅଚ୍ୟୁତ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଉପରୋକ୍ତ ଦାବି ସହ ଓଡିଶାର ବିଜୁ ପଟ୍ଟନାୟକ ବିମାନବନ୍ଦର ସମେତ ଦେଶର ଅନ୍ୟାନ୍ୟ ବିମାନବନ୍ଦରକୁ ଆଦାନୀ ଭଳି ଘରୋଇ କମ୍ପାନୀମାନଙ୍କ ହାତକୁ ଟେକି ଦେବା ବନ୍ଦ, ନିଟ୍‌, ନେଟ୍ ଦୁର୍ନୀତିରେ ଜଡିତ ସମସ୍ତ ଅପରାଧି ମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ସହିତ ଏନ୍‌.ଟି.ଏ କୁ ବାତିଲ, ନୂଆ ଶିକ୍ଷାନୀତି -୨୦୨୦ ବାତିଲ, ଆଦିବାସୀ ଓ ଜଙ୍ଗଲ ଅଧିବାସୀଙ୍କ ସ୍ୱାର୍ଥ ବିରୋଧୀ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ-୨୦୨୩କୁ ସଂପୂର୍ଣ୍ଣ ବାତିଲ, ମୃତ୍ତିକା କ୍ଷୟ ବନ୍ଦ, ପରିବେଶର ସୁରକ୍ଷା ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆଦି ଦାବି ସମ୍ବଳିତ ସ୍ମାରକ ପତ୍ର ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସଙ୍କ ନେତୃତ୍ୱରେ ସୁରେନ୍ଦ୍ର ମଲ୍ଲିକ, ଭିକାରୀ ପ୍ରଧାନ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ପ୍ରଦାନ କରିଥିଲେ । ଏହି ବିକ୍ଷେଭରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ଅଫିସ ସମ୍ପାଦିକା ସ୍ୱୟଂପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସଦାଶିବ ଦାସ, ନିରାକାର ପାଣ୍ଡବ, ଅଶୋକ ମିଶ୍ର, ରାଜ୍ୟ କମିଟି ସଭ୍ୟ ଜୟସେନ ମେହେର, ବିଜୟ ମଲ୍ଲିକ, ନାରୀନେତ୍ରୀ ସରୋଜିନୀ ନାୟକ, ଛାତ୍ର ନେତା ସୋମନାଥ ବେହେରା, ସଂଗଠକ ବବି ବଳବନ୍ତରାୟ, ଅଶୋକ ସାହୁ, ସୁବାସ ବରାଳ, ନିରଞ୍ଜନ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ଗୁଡିକୁ ଦୃଢ ନିନ୍ଦା କରିବା ସହ ଉପସ୍ଥାପିତ ଦାବିଗୁଡିକୁ ତୁରନ୍ତ ପୁରଣ କରିବା ପାଇଁ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ