ଦଲାଲର ମାୟାଜା‌ଲ୍ଲରେ ପଡ଼ି ବେଙ୍ଗାଲୁରୁରେ ଫସିଛ‌ନ୍ତି ୬ ନାବାଳକ, ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ପରିବାରଙ୍କ ଆକୁଳ ନିବେଦନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ମୋହନା ବ୍ଳକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ । ୩୯ଟି ପଞ୍ଚାୟତକୁ ନେଇ ଏହି ବ୍ଲକ ଗଠିତ । ଏଠି ସାଧାରଣତଃ ଆଦିବାସୀ ଓ ଦଳିତ ବର୍ଗର ବହୁ ଅଧିବାସୀ ବାସ କରନ୍ତି । ଏହି ବ୍ଳକରେ ଲୋକଙ୍କ ପାଇଁ କାମଧନ୍ଦାର ଘୋର ଅଭାବ । ଏଣୁ କାମ ଅନ୍ଵେଷଣରେ ବହୁ ଯୁବକ/ଯୁବତୀ ପାଠ ପଢ଼ାରେ ତୋରି ବାନ୍ଧି ପରିବାର ପ୍ରତିପୋଷଣ ପାଇଁ କେରଳ, କର୍ଣ୍ଣାଟକ, ବେଙ୍ଗାଲୁରୁ,ହାଇଦ୍ରାବାଦ, ନୂଆଁ ଦିଲ୍ଲୀ, ଗୋଆ, ଗୁଜୁରାଟ ଆଦି ବିଭିନ୍ନ ସହରକୁ ଦାଦନ ଖଟିବାକୁ ଯାଇଥାନ୍ତି । ଦଲାଲର ଅର୍ଥ ପ୍ରଲୋଭନରେ ପଡ଼ି ଏମାନେ ସେଠାରେ ନିର୍ଯ୍ୟାତିତ, ଅତ୍ୟାଚାରିତ ଓ ଶୋଷଣର ଶୀକାର ହୁଅନ୍ତି। ଏଭଳି ବହୁତ ଘଟଣା ଘଟିବାର ନଜିର ମଧ୍ୟ ରହିଛି । ପରବର୍ତୀ ସମୟରେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୁଅନ୍ତି । ଏଭଳି ଏକ ଘଟଣା ଘଟିଛି ମୋହନା ବ୍ଳକ ଅନ୍ତର୍ଗତ ପି.ଗୋବିନ୍ଦପୁର ଗ୍ରାମ ଖ୍ରୀଷ୍ଟିଆନ ସାହିର ୬ ଜଣ ନାବାଳକଙ୍କୁ ଫେବୃଆରୀ ମାସରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମର ପ୍ରଶାନ୍ତ ଦୋରା ନାମକ ଜଣେ ଦଲାଲ କୌଣସି ଏକ କମ୍ପାନୀରେ କାମରେ ନିୟୋଜିତ କରାଇଦେବାର ଅର୍ଥ ପ୍ରଲୋଭନ ଦେଖାଇ ନାବାଳକଙ୍କ ପରିବାରବର୍ଗଙ୍କ ଅଜାଣତରେ ବେଙ୍ଗାଲୁରୁ ନେଇ ଯାଇଥିଲେ । ସେଠାରେ ଏକ କମ୍ପାନୀରେ କାମ ଦେବାପରେ ନାବାଳକ ମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବାପରେ ପୁଣି ଅନ୍ୟ ଏକ କମ୍ପାନୀରେ କାମ ଦେବାର ବାହାନା କରି ଅନ୍ୟତ୍ର ନେଇ ଯାଉଥିବାବେଳେ ବେଙ୍ଗାଲୁରୁ ରେଳଷ୍ଟେସନରେ ସମସ୍ତ ନାବାଳକଙ୍କୁ ସେଠିକାର ଚାଇଲ୍ଡ ଲାଇନ୍ କର୍ମଚାରୀ ଉଦ୍ଧାର କରିଥିଲେ । ଘଟଣାସ୍ଥଳରୁ ଦଲାଲ ପ୍ରଶାନ୍ତ ଫେରାର ହୋଇ ଯାଇଥିଲା । ସମସ୍ତ ନାବାଳକଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରି ବେଙ୍ଗାଲୁରୁ ସରକାରୀ ଶିଶୁଭବନରେ ରଖିଥିବା ଜଣାପଡିଛି। ଖବରପାଇ ନାବାଳକ ମାନଙ୍କର ପରିବାର ଲୋକେ ସେଠାରେ ପହଞ୍ଚି ନାବାଳକ ମାନଙ୍କୁ ହସ୍ତାନ୍ତର କରିବାପାଇଁ ଅନୁରୋଧ କରିଥିଲେ । କିନ୍ତୁ ସେଠାକାର ଅଧିକାରୀ ଗଜପତି ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ହସ୍ତକ୍ଷେପ ଓ ସମସ୍ତ ସରକାରୀ ତଥ୍ୟ ମିଳିବାପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ବୋଲି କହିଥିଲେ। ସେଠାରୁ ଫେରି ମୋହନା ଚାଇଲ୍ଡ ଲାଇନରେ ଅଭିଭାବକମାନେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଥାଉ କି ନାବାଳକମାନଙ୍କ ପରିବାର ବର୍ଗ ଅତ୍ୟନ୍ତ ଗରୀବ ଓ ଦୀନ ମଜୁରିଆ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସହାୟତା କରି ତୁରନ୍ତ ନାବାଳକ ଶିଶୁ ମାନଙ୍କୁ ଉଦ୍ଧାର କରି ଗ୍ରାମକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସହ ଯୋଗାଯୋଗ କରିବାରୁ ସେ ସରକାରଙ୍କ ନିୟମ ଓ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ କାମ କରାଯାଇ ଶିଶୁମାନଙ୍କୁ ଯଥାଶୀଘ୍ର ସେଠାରୁ ଅଣାଯିବା ବୋଲି ମତବ୍ୟକ୍ତ କରିଛନ୍ତି ଅପରପକ୍ଷେ ମୋହନା ଚାଇଲ୍ଡ ଲାଇନ୍ ଟିମ ଲିଡ୍‌ର ଅନୀତା କୁମାରୀ ନାୟକ କହିଛନ୍ତି ଜିଲ୍ଲା ପ୍ରଶାସନ, ଶିଶୁ ମଙ୍ଗଳ ସମିତି ଓ ସ୍ଥାନୀୟ ପୁଲିସ ସହାୟତାରେ ଖୁବ୍ ଶୀଘ୍ର ନାବାଳକ ମାନଙ୍କୁ ବେଙ୍ଗାଲୁରୁରୁ ଫେରାଇ ଅଣାଯିବ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ