ଦଲାଲ ଓ ବ୍ୟାଙ୍କ କର୍ମଚାରୀଙ୍କ ମଧୁଚନ୍ଦ୍ରିକା
ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର କୃଷକ, ଶ୍ରମିକ, ବ୍ୟବସାୟୀ ଓ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆର୍ଥିକ ଋଣ ସହାୟତା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ବ୍ୟାଙ୍କିଙ୍ଗ୍ ସଂସ୍ଥା ଗୁଡିକ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ସରକାରଙ୍କର ଏହି ସଫଳ ଯୋଜନାକୁ କେତେ ଜଣ ଅସାଧୁ କର୍ମଚାରୀ ଓ ଦଲାଲ ମାନେ ଭଣ୍ଡୁର କରିବାରେ ବ୍ୟସ୍ତ ଅଛନ୍ତି । ପ୍ରକୃତ ହିତାଧିକାରୀ ମାନଙ୍କୁ ଋଣ ଦିଆ ଯାଉନଥିବା ବେଳେ ଜାଲ ହିତାଧିକାରୀ ମାନଙ୍କ ଠାରୁ ମୋଟା ଅଙ୍କରେ ଲାଞ୍ଚ ନେଇ ଋଣ ମଂଜୁର କରାଯାଉଥିବା ଦେଖାଯାଉଛି । ସେହିପରି ବହୁ ନିରିହ ଗରିବ ହିତାଧିକାରୀ ମାନଙ୍କ ଅଜାଣତରେ ଜାଲିଆତି କରି ସେମାନଙ୍କ ନାମରେ ଋଣ ଅର୍ଥକୁ ହଡପ କରୁଥିବା ନଜିର ଦେଖାଯାଇଛି । ଏଭଳି ଏକ ନଜିର ଦେଖିବାକୁ ମିଳିଛି ବନ୍ତସ୍ଥିତ ପଞ୍ଜାବ୍ ନ୍ୟାସନାଲ୍ ବ୍ୟାଙ୍କ କ୍ଷେତ୍ରରେ । ଗତ ୪ ବର୍ଷ ତଳେ ହିତାଧିକାରୀଙ୍କ ଅଜାଣତରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରାଯାଇ ଉକ୍ତ ଅର୍ଥକୁ ହଡପ କରାଯାଇଥିବା ଖବର ଏବେ ପଦାକୁ ଆସିଛି । ପ୍ରକାଶ ଯେ, ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମର ମାନସ ବେହେରା ଗତ ତା-୩୧-୫-୨୦୧୬ ମସିହାରେ ବନ୍ତସ୍ଥିତ ପି.ଏନ୍.ବି ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିଥିଲେ । ପରେ ତାଙ୍କୁ ୫୦ ହଜାର ଟଙ୍କାର ସବ୍ସିଡ୍ ଋଣ କରାଇ ଦେବା ପାଇଁ ଛୟାଳସିଂସ୍ଥିତ ଜନସେବା କେନ୍ଦ୍ରର ପରିଚାଳକ ତଥା (ପି.ଏନ୍.ବି ବ୍ୟାଙ୍କ) ଭି.ସି. ଖଗେଶ୍ୱର ବେହେରା କହିଥିଲେ । ଫଳରେ ମାନସ ତାଙ୍କୁ ଆଧାର କାର୍ଡ, ପାସ୍ ବୁକ୍, ଚେକ୍ ବୁକ୍ ସମେତ ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଦେଇଥିଲେ । ୨ ମାସ ପରେ ବାଇକ୍ ଲୋନ୍ ଥିବାରୁ ତାଙ୍କର ଲୋନ୍ ହୋଇପାରିବ ନାହିଁ ବୋଲି ଖଗେଶ୍ୱର କହିଥିଲେ । ଅପରପକ୍ଷେ ଖଗେଶ୍ୱର ନିଜ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଦେବା ପାଇଁ ମାନସଙ୍କ ଠାରୁ ୫ଟି ବ୍ଲାଙ୍କ୍ ଚେକ୍, ଏ.ଟି.ଏମ୍ କାର୍ଡ ନେଇଥିଲେ । ପରେ ମାନସଙ୍କୁ ନିଜ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଦେଇଥିଲେ । ୧ ବର୍ଷ ପରେ ପି.ଏନ୍.ବି ବ୍ୟାଙ୍କର ୨ ଜଣ କର୍ମଚାରୀ ମାନସଙ୍କ ଘରେ ପହଂଚି ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ଋଣ ଥିବା ଜଣାଇଥିଲେ । କର୍ମଚାରୀଙ୍କ ଠାରୁ ଏକଥା ଶୁଣି ମାନସ ହତବାକ୍ ହୋଇଯାଇଥିଲେ । ଫଳରେ ମାନସ ବ୍ୟାଙ୍କ ପାସ୍ ବୁକ୍ ଅପ୍ଡେଟ୍ କଲା ପରେ ତାଙ୍କ ଆକାଉଣ୍ଟରୁ ଖଗେଶ୍ୱର ବେହେରାଙ୍କ ଆକାଉଣ୍ଟକୁ ୪ ଲକ୍ଷ ୨୨ ହଜାର ୯ ଶହ ୭୨ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଥିଲେ । ସେ ଋଣ କରିନଥିବା ବେଳେ ତାଙ୍କ ଆକାଉଣ୍ଟରେ ଋଣ ଅର୍ଥ ଜମା ହୋଇ ପୁନଶ୍ଚ ଏହି ଟଙ୍କା ଖଗେଶ୍ୱର ବେହେରାଙ୍କ ଆକାଉଣ୍ଟ କେମିତି ଗଲା ତାହା ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ଏହି ଟଙ୍କାକୁ ଏ.ଟି.ଏମ୍ କାର୍ଡ ଓ ବ୍ଲାକ୍ ଚେକ୍ ମାଧ୍ୟମରେ ହଡପ କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ଜଣେ ହିତାଧିକାରୀ ହେଉଛନ୍ତି ଛୟାଳସିଂ ଗ୍ରାମର ଜଗନ୍ନାଥ ବେହେରା । ସେ ଉକ୍ତ ଜନସେବା କେନ୍ଦ୍ରରେ ପି.ଏନ୍.ବି ବ୍ୟାଙ୍କର ଆକାଉଣ୍ଟ ଖୋଲିବା ପାଇଁ ଫର୍ମ ପୂରଣ କରିଥିଲେ । ମାତ୍ର ସେ କୌଣସି ଋଣ ଅର୍ଥ ନେଇନଥିବା ବେଳେ ତାଙ୍କ ନାମରେ ଜାଲିଆତି କରାଯାଇ ୪ ଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି ସେ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ଉଭୟ ଅଭିଯୋଗ ମୂଳେ ବନ୍ତ ଥାନା ଆଇଆଇସି ମିନା ବିନ୍ଧାଣୀ ଘଟଣା ସଂପର୍କରେ ଖୋଳତାଡ ଆରମ୍ଭ କରିଛନ୍ତି । ଏହି ୨ ଜଣ ହିତାଧିକାରୀଙ୍କ ଭଳି ଆହୁରି ଅନେକ ଗରିବ ଲୋକଙ୍କ ନାମରେ ଜାଲିଆତି କରାଯାଇ ଋଣ ଅର୍ଥ ହଡପ କରାଯାଇଛି ବୋଲି ସାଧାରଣରେ ସନ୍ଦେହ ପ୍ରକଟ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ଏହି ଘଟଣା ପ୍ରତି ଗୁରୁତ୍ୱ ଦେଇ କ୍ରାଇମ୍ ବ୍ରାଞ୍ଚ କିମ୍ବା ଭିଜିଲାନ୍ସ ତଦନ୍ତ କରାଇବାକୁ ସାଧାରଣରେ ଦାବୀ ହୋଇଛି ।