ଦଳିତଙ୍କୁ ଧୋକା ଦେଉଛି ବିଜେଡି: ବିଜେପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡିଶାରେ ଶାସକ ବିଜେଡି ଦଳିତଙ୍କ ଭୋଟରେ ଶାସନ କ୍ଷମତା ଅକ୍ତିଆର କରିଥିବାବେଳେ ଦଳିତଙ୍କ ବିକାଶ ପାଇଁ କୈାଣସି ଆନ୍ତରିକତା ନାହିଁ । ବରଂ ଦଳିତଙ୍କୁ ଶୋଷଣ କରି, ଦଳିତଙ୍କୁ ଧୋକା ଦେଇ ଶାସକ ବିଜେଡି ସାଂଘାତିକ ଅପରାଧ କରୁଛି ବୋଲି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂ ଆର୍ଯ୍ୟ କ୍ଷୋଭ ପ୍ରକାଶ କରି କହିଛନ୍ତି । ଓଡିଶା ସରକାରଙ୍କ ତରଫରୁ ଦଳିତଙ୍କୁ ନ୍ୟାୟ ମିଳୁ ନାହିଁ । ବିକାଶ ସେମାନଙ୍କ ପାଖକୁ ପହଂଚି ପାରୁ ନାହିଁ । ଦଳିତଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ପର୍ଯ୍ୟାପ୍ତ ପରିମାଣର ଅର୍ଥକୁ ରାଜ୍ୟ ସରକାର ଅଲଗା ଯୋଜନାରେ ଖର୍ଚ୍ଚ କରୁଛନ୍ତି । ଅଦ୍ୟାବଧି ରାଜ୍ୟରେ ଅନୁସୁଚିତ ଜାତି କମିଶନ ଗଠନ କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।ପକ୍କା ଘର ତ ବହୁ ଦୂର କଥା, ଜମି ଖଣ୍ଡିଏ ଯୋଗାଇବାରେ ବିଫଳ ରାଜ୍ୟ ସରକାର । ରାଜ୍ୟରେ ଅଧିକାଂଶ ଅନୁସୁଚିତ ଜାତିର ଲୋକେ ଭୂମିହୀନ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଚିହ୍ନଟ କରି ୨୦୨୨ ମସିହା ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଢିହ ସହ ବାସଗୃହ ଯୋଗାଇ ଦିଅନ୍ତୁ । ସ୍ୱଚ୍ଛତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ପ୍ରତ୍ୟେକ ଦଳିତ ବର୍ଗ ଲୋକଙ୍କୁ ପାଇଖାନା ଯୋଗାଇ ଦିଆଯାଉ । ବାସଗୃହ ଏବଂ ପାଇଖାନା କ୍ଷେତ୍ରରେ ଯେପରି କୈାଣସି ହିତାଧିକାରୀଙ୍କୁ ଲାଂଚ ଦେବାକୁ ନପଡେ, ସେଥି ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଶ୍ରୀ ଆର୍ଯ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଦଳିତଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି । ଅନୁସୁଚିତ ଜାତିଙ୍କ ପ୍ରତି ଅତ୍ୟାଚାର କ୍ଷେତ୍ରରେ ଆଇନ ଅନୁଯାୟୀ ଉପଯୁକ୍ତ ର‌୍ୟାଂକର ପୋଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇ ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରାଯିବାକୁ କାର୍ଯ୍ୟକାରିଣୀରେ ଦାବୀ କରାଯାଇଛି ।ଅନୁସୁଚିତ ଜନଜାତିର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇ.ଟି.ଡି.ଏ ଯୋଜନା ଭଳି ଅନୁସୁଚିତ ଜାତି ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଆଇ.ଏସ୍‌.ସି.ଡି.ଏ. (ସମନ୍ୱୟିତ ଅନୁସୁଚିତ ଜାତି ବିକାଶ ଉନ୍ନୟନ ଅଥରିଟି) ଗଠନ କରାଯାଇ ଦଳିତ ବର୍ଗଙ୍କ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟକାରିଣୀ ଦାବୀ କରିଛି ବୋଲି ଶ୍ରୀ ଆର୍ଯ୍ୟ କହିଛନ୍ତି ।ରାଜ୍ୟ ସରକାର ‘ଓଡିଶା ଏସ୍‌ସି ଏସ୍‌ଟି ଫାଇନାନ୍ସିଆଲ ଡେଭେଲପମେଂଟ କର୍ପୋରେସନ’କୁ କାର୍ଯ୍ୟକ୍ଷମ କରି ଅନୁସୁଚିତ ଜାତି ଓ ଜନଜାତିଙ୍କ ବିକାଶକୁ ପ୍ରାଧାନ୍ୟ ଦିଅନ୍ତୁ । ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଜିର କାର୍ଯ୍ୟକାରିଣୀରେ ଦାବୀ କରାଯାଇଛି ।ରାଜ୍ୟ ସରକାରଙ୍କ ଦଳିତ ବିରୋଧୀ ଆଭିମୁଖ୍ୟ ପ୍ରସଙ୍ଗରେ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅନୁସୁଚିତ ଜାତି ଆୟୋଗଙ୍କ ନିକଟରେ ଫେରାଦ ହେବ । ରାଜ୍ୟର ଅନୁସୁଚିତ ବର୍ଗ ଲୋକମାନେ କେମିତି ନ୍ୟାୟ ପାଇବେ, ସେ ନେଇ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଶ୍ରୀ ଆର୍ଯ୍ୟ ସୁଚନା ଦେଇ କହିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋର୍ଚ୍ଚାର ରାଜ୍ୟ ସଭାପତି ପୂର୍ବତନ ସାଂସଦ ବିଭୁ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂ ଆର୍ଯ୍ୟ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡ.ଭୋଲା ସିଂହ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନରେ ମୋର୍ଚ୍ଚାର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ତଥା ବିଧାୟକ ଡ.ମୁକେଶ ମହାଲିଙ୍ଗ ରାଜନୈତିିକ ଚିଠା ଉପସ୍ଥାପନା କରିଥିବାବେଳେ ମୋର୍ଚ୍ଚା ରାଜ୍ୟ ଉପସଭାପତି ତଥା ବିଧାୟକ ସନାତନ ବିଜୁଳି ଏବଂ ନାଉରୀ ନାଏକ ସମର୍ଥନ ଜଣାଇଥିଲେ ଏବଂ ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ ଚିଠା ପ୍ରସ୍ତାବ ସଂକଳନ କରିଥିଲେ ।ମୋଦି ସରକାରଙ୍କ ଗତ ୭ ବର୍ଷ ଶାସନ ଓ ଉପଲବ୍ଧି ସଂପର୍କରେ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଜୟପ୍ରକାଶ ସିଂହ ଭୋକ୍ତା କାର୍ଯ୍ୟକାରିଣୀରେ ବିସ୍ତୃତ ଆଲୋଚନା କରିଥିବାବେଳେ ବିଜେପି ବାର୍ତା ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମୋର୍ଚ୍ଚା ସଂଯୋଜକ ଡ.ରବିନ୍ଦ୍ର ନାରାୟଣ ବେହେରା, ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ଡ.କଳ୍ପନା ମଲ୍ଲିକ, ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ରାଘବ ମଲ୍ଲିକ ପ୍ରମୁଖ କାର୍ଯ୍ୟକାରିଣୀରେ ଉପସ୍ଥିତ ରହି ଆଲୋଚନା ଭାଗ ନେଇଥିଲେ । ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହି କାର୍ଯ୍ୟକାରିଣୀକୁ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକାରିଣୀ ଆରମ୍ଭରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀମାନଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ