ଦଳିତଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ଭାଜପା
ଛତ୍ରପୁର (ଦେବଦତ୍ତ ମହାରଣା): ବିଜେଡି ନେତା ଓ କର୍ମୀ ମାନଙ୍କ ଦ୍ୱାରା ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ , ପୋଲିସ ର କାର୍ଯ୍ୟାନୁଷ୍ଠାନ ଶୂନ ରହିବା ଏବଂ ବାବା ସାହେବଙ୍କୁ ଅସମ୍ମାନକୁ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଚଳିତ ମାସ ୯ ରୁ ୧୧ ତାରିଖ ରାଜ୍ୟ ସମସ୍ତ ୩୦ ଜିଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଶନିବାର ଛତ୍ରପୁର ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ରାଘବ ମଲ୍ଳୀକ ଉପରୋକ୍ତ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଜିଲା ର ଆଳି ଥାନା ଅଧିନ ବାଳକାଟି ପଂଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା, ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନିତି ର ପର୍ଦ୍ଦାଫାଶ ନବକିଶୋର ମଲ୍ଲୀକଙ୍କ ପୁଅ ହରିଶ୍ ଚନ୍ଦ୍ର ମଲ୍ଲୀକ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜୁଲାଇ ୧ ତାରିଖରେ ନବକିଶୋର ମଲ୍ଳୀକ, ତାଙ୍କ ଭାଇ ଜୟକୃଷ୍ଣ, ସ୍ତ୍ରୀ, ବୋହୁ, ଆଠ ବର୍ଷ ର ନାତି ଉପରେ ଆକ୍ରମଣ କରାଯାଇଥିଲା । ଏନେଇ ପରିବାର ପକ୍ଷରୁ ଥାନା ରେ ଏତଲା ଦିଆଯାଇଥିଲେ ହେଁ ଏହାକୁ ପୋଲିସ ଗ୍ରହଣ କରିନଥିଲା ବୋଲି ଭାଜପା ପକ୍ଷରୁ କୁହାଯାଇଛି । ପରେ ଜୁଲାଇ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସେଠାରେ ମହିଳା ମାନଙ୍କ ଉପରେ ଆକ୍ରମଣ ସହ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରକୁ ଅସମ୍ମାନ କରାଯାଇଥିଲା ବୋଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଜୁଲାଇ ୨୮ ତାରିଖରେ ନାଉଗାଁ ଥାନା ରେ ଏତଲା ଦେଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କୁହାଯାଇଛି । ଏହି ଖବରଦାତା ସମ୍ମିଳନୀରେ ଗଂଜାମ ଜିଲ୍ଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ର ଜିଲା ସଭାପତି ପ୍ରଶାନ୍ତ କୁମାର କର, ଜିଲା ଲିଗାଲ ସେଲ୍ ର ଆବାହକ ପ୍ରଦୀପ କୁମାର ପାଢୀ, ଜିଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, କୃଷକ ମୋର୍ଚ୍ଚା ର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ ମୁଦୁଲି ଉପସ୍ଥିତ ଥିଲେ ।