ଦଳିତ-ଆଦିବାସୀ ବଜେଟ ୨୦୨୩-୨୪
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନନ୍ଦ ଉଲ୍ଲାସ ସହ ଧୁମ୍ଧାମରେ ୨୦୨୩-୨୪ ବର୍ଷର ବଜେଟ ଆଗତ କରି ତାହାକୁ ‘ନୂତନ ବିକଶିତ ଆସନ୍ତା କାଲିର ସୂତ୍ରଧର’ ବୋଲି କହିଥିବା ‘ଅମୃତ କାଳର ବଜେଟ’ ଦେଶର ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ବିକାଶ ପାଇଁ କେତେଦୂର ସହାୟକ ହେବ ସେ ସମ୍ପର୍କରେ ଏହି ବର୍ଗର ନେତୃତ୍ୱ ପ୍ରଶ୍ନ ଉଠାଇଛନ୍ତି । ଶୁକ୍ରବାର ଦିନ ଲୋହିଆ ଏକାଡ଼େମୀଠରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଦଳିତ-ଆଦିବାସୀ ସଂଗଠନ ନେତା, ଶିକ୍ଷାବିତ୍, ଗବେଷକ, ମହିଳା, ଯୁବଛାତ୍ରମାନେ ବଜେଟର ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ଅବସରରେ ନ୍ୟାସନାଲ କ୍ୟାମ୍ପେନ୍ ଅନ ଦଳିତ ହ୍ୟୁମାନ ରାଇଟ୍ସ ଓ ଦଳିତ ଆର୍ଥିକ ଅଧିକାର ଅଭିଯାନ, ନୂଆଦିଲ୍ଲୀ ପକ୍ଷରୁ ‘ଦଳିତ-ଆଦିବାସୀ ବଜେଟ ବିଶ୍ଲେଷଣ ୨୦୨୩-୨୪’ ରିପୋର୍ଟ ଉନ୍ମୋଚିତ ହୋଇଯାଇଛି । ବିଚାର ମଞ୍ଚର ସଭାପତି ସଂଗ୍ରାମ ମଲିକ ବିଶ୍ଲେଷଣ କରି ଉପସ୍ଥାପନ କରିଥିଲେ ଯେ, ୨୦୨୧-୨୨ କେନ୍ଦ୍ରୀୟ ବଜେଟରେ ଏସ୍ସିମାନଙ୍କର ସିଧାସଳଖ ବିକାଶ ପାଇଁ ଲକ୍ଷ୍ୟଯୁକ୍ତ ସ୍କିମ୍ରେ ଆବଣ୍ଟନ ୪୮,୩୯୭ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ୫୩,୭୯୫ କୋଟି ଟଙ୍କା ହୋଇଥିଲା; କିନ୍ତୁ ଚଳିତ ବଜେଟରେ ତାହା ମାତ୍ର ୩୦,୪୭୫ କୋଟି ଟଙ୍କା ହୋଇଛି । ସେହିଭଳି ଏସ୍ଟିମାନଙ୍କ କ୍ଷେତ୍ରରେ ୨୦୨୧-୨୨ରେ ୨୭,୮୩୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୨-୨୩ରେ ୪୩,୫୮୬ କୋଟି ଟଙ୍କା ହୋଇଥିଲା; ଯାହା ଚଳିତ ବଜେଟରେ ମାତ୍ର ୨୪,୩୮୪ କୋଟି ଟଙ୍କା ହୋଇଛି । ଆବଣ୍ଟନର ଏହିପରି ଧାରା ସରକାରଙ୍କ ଏସ୍ସି, ଏସ୍ଟି ବିରୋଧୀ ମନୋଭାବର ପରିଚାୟକ ବୋଲି ଶ୍ରୀ ମଲିକ ଦର୍ଶାଇଥିଲେ ।ଉଲ୍ଲେଖଯୋଗ୍ୟ ଯେ, ହାତରେ ମଳ ଉଠାଉଥିବା ସଫେଇ କର୍ମଚାରୀମାନଙ୍କ ଥଇଥାନ ପାଇଁ ସ୍କିମ୍କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଦେଶରେ ଦଳିତ ଓ ଆଦିବାସୀମାନଙ୍କ ଉପରେ ନିର୍ଯ୍ୟାତନା ଘଟଣା ବଢି ଚାଲିଥିବା ବେଳେ ନିର୍ଯ୍ୟାତନା ନିବାରଣ ଆଇନର କାର୍ଯ୍ୟକାରିତା ପାଇଁ ଆବଣ୍ଟନ ୫୦୦ କୋଟି ଟଙ୍କାକୁ କମାଇ ଦିଆଯାଇଛି ଯାହା ଅନ୍ୟତମ ଉଦ୍ବେଗର କାରଣ । ଏସ୍ସି, ଏସ୍ଟି ବର୍ଗଙ୍କ ବିକାଶ ପାଇଁ ପ୍ରାୟ ୨ଲକ୍ଷ ୮୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଉଥିବା ଦର୍ଶାଯାଉଥିବା ବେଳେ ଏମାନଙ୍କର ସିଧାସଳଖ ବିକାଶ ପାଇଁ ପାଣ୍ଠିର ପରିମାଣ ଅତି କମ୍ ବୋଲି ଜଣାପଡ଼ିଛି । ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପିଜି କାଉନସିଲ୍ର ଅଧ୍ୟକ୍ଷ ଡଃ ବସନ୍ତ କୁମାର ମଲ୍ଲିକ, ସେବା ନିବୃତ୍ତ ପ୍ରଶାସନିକ ଅଧିକାରୀ ସଞ୍ଜୟ ହାବଡ଼ା, ମୂଳନିବାସୀ ସମତା ପରିଷଦର ରାଜ୍ୟ ସଂଯୋଜକ ଅଭିରାମ ମଲ୍ଲିକ, ଦଳିତ ଆର୍ôଥକ ଅଧିକାର ଅଭିଯାନର ରାଜ୍ୟ ସଂଯୋଜକ ତପନ ନାଏକ, ବହୁଜନ ଯୁବଛାତ୍ର ଫ୍ରଣ୍ଟର ସଭାପତି ଅନିଲ କୁମାର ମଲ୍ଲିକ, ପୂର୍ବତନ ଶ୍ରମ ଅଧିକାରୀ ଦିନବନ୍ଧୁ ଅଧିକାରୀ, ଶିକ୍ଷାବିତ୍ ପ୍ରଫେସର ପଙ୍କଜ ନାଏକ, ସମାଜସେବୀ ଡ଼ଲି ଦାସ, ଏକତା ପରିଷଦର ସମ୍ପାଦକ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ସମାଜକର୍ମୀ ଅରବିନ୍ଦ ମଲ୍ଲିକ, ବିଭ୍ରାନ୍ତ ବିଶ୍ୱଜିତ, ତପନ ସାମଲ, ବି.ଏ. ତନବୀର, ଆବୁଲ କାଲାମ ଆଜାଦ, ସମାଜସେବୀ ପ୍ରତାପ ସାହୁ, ନନ୍ଦିନୀ ନାୟକ, ଗଦାଧର ପ୍ରଧାନ ପ୍ରମୁଖ ଯୋଗଦାନ କରି ଦଳିତ ଆଦିବାସୀବର୍ଗଙ୍କ ତ୍ୱରିତ ବିକାଶ ନିମନ୍ତେ ନୀତି ଆୟୋଗଙ୍କ ୨୦୧୮ ମସିହାର ଗାଇଡ଼ ଲାଇନ ଆଧାରରେ ବଜେଟ ଆବଣ୍ଟନ ଓ ଲକ୍ଷ୍ୟଯୁକ୍ତ ସ୍କିମ୍ ଜରିଆରେ ବିକାଶ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ଏହା ସହିତ ଜଳବାୟୁ ପରିବର୍ତ୍ତନ ପ୍ରଶମନ ଓ ଅନୁକୂଳନ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ଏହି ଦୁଇ ବଞ୍ôଚତ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ଆବଣ୍ଟନ ପାଇଁ ଦାବି କରାଯାଇଛି । ବଜେଟ ସମ୍ପର୍କରେ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ବିଚାର ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି ।


