ଦଳିତ ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ତଥା ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ସୂଚନା ଅଧିକାର କର୍ମୀ ଜନକର ଜେନାଙ୍କ ଉପରେ ହୋଇଥିବା ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିକ୍ଷୋଭ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଏଠାରେ ସୂଚନା ଯୋଗ୍ୟ ଯେ ସୂଚନା ଅଧିକାର କର୍ମୀ ଶ୍ରୀ ଜେନା ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ ସୂଚନା ମାଗି ସଂପୃକ୍ତ ପଞ୍ଚାୟତରେ ବ୍ୟାପକ ହରିଲୁଟ ହୋଇଥିବା ସମ୍ପର୍କରେ ଖୁଲାସା କରିଦେବାରୁ ତାଙ୍କୁ ବିଜେଡିର ୨୦ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁବୋଧ କୁମାର ଲେଙ୍କା ମରଣାନ୍ତଙ୍କ ଆକ୍ରମଣ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା ଧମକ ଦେଇଥିବା ସମ୍ପର୍କରେ ମାର୍ଶାଘାଇ ଥାନାରେ ଶ୍ରୀ ଜେନା ଲିଖିତ ଭାବେ ଅଭିଯୋଗ କରିଥିଲେ । ଶ୍ରୀ ଜେନାଙ୍କ ଅଭିଯୋଗ ଉପରେ ମାର୍ଶାଘାଇ ଥାନାରେ ୩୨୫/୨୦୨୨ରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଅଦ୍ୟାବଧି ଗିରଫ କରିନଥିବା ଓସା ପକ୍ଷରୁ ଅଭିଯୋଗ କରାଯାଇଛି । ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି । ଅଭିଯାନର ଜିଲ୍ଲା ଆବାହକ ପ୍ରତାପ ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ ଜନକର ଜେନା, ମାନସ ଆଚାର୍ଯ୍ୟ, ଅମରବର ବିଶ୍ୱାଳ, ଭାଗିରଥି ଜେନା, ଅଶୋକ କୁମାର ନାୟକ, ରାଜମୋହନ ସ୍ୱାଇଁ, ଅମର ରାଉତ, ଭରତ ଚନ୍ଦ୍ର ଚୁଳି, ଆଇନଜୀବୀ ପ୍ରଦୀପ କୁମାର ଦାଶ ପ୍ରମୁଖ ଯୋଗଦେଇ କ୍ଷୋଭ ପ୍ରଦର୍ଶନ କରିଥିଲେ । ଏସମ୍ପର୍କରେ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ‘ଓସା’ ପକ୍ଷରୁ ଅଭିଯୋଗ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି ।


