ଦଳୀୟ କାର୍ଯ୍ୟାଳୟ ଉଦଘାଟନ ପରେ କଂଗ୍ରେସର ପ୍ରଚାର ଜୋର ଧରିଲା
ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ରାଜ୍ୟ ରାଜନୀତିରେ ହିଞ୍ଜିଳି ବିଧାନସଭା ଆସନ ସର୍ବଦା ଚର୍ଚ୍ଚାରେ ରହିଆସିଛି । କାହିଁକି ନା ଖୋଦ୍ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ଗତ ୨୦୦୦ ମସିହାରୁ ଲଗାତାର ୫ଥର ଧରି ହିଞ୍ଜିଳି ବିଧାନସଭା ଆସନରୁ ବିଜୟୀ ହେବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଆସନ ଗ୍ରହଣ କରିବାର ଗୌରବ ଅର୍ଜନ କରିଛନ୍ତି । ପୁର୍ନବାର ଚଳିତ ନିର୍ବାଚନରେ ୬ଷ୍ଠ ଥର ପାଇଁ ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ଏପ୍ରିଲ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ସେହି ଦିନ ଠାରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ କେବଳ ବିଜେଡିର ପ୍ରଚାର କରାଯାଉଥିବା ଦେଖିବାକୁ ମିଳି ଆସୁଥିଲା । ଗତ ୨ ଦିନ ଧରି ବିଜେପି ପ୍ରଚାର ଗାଡି ସ୍ଥାନୀୟ ଅଞ୍ଚଳରେ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଥିବା ବେଳେ ପ୍ରାର୍ଥୀଙ୍କ ଦେଖାମିଳିବା କଷ୍ଟ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହିଞ୍ଜିଳିକାଟୁ ପୌରାଞ୍ଚଳରେ କଂଗ୍ରେସର ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା । ଜିଲ୍ଲା ସଭାପତି ରବିନ୍ଦ୍ର ଶର୍ମା ଯୋଗଦେଇ ଆନୁଷ୍ଠାନିକ ଭାବେ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ଶର୍ମା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ରଜନୀ ପାଢି ଓ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମାଙ୍କୁ ଭୋଟଦେଇ ବିଜୟୀ କରାଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ପରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ଦଳୀୟ କର୍ମୀଙ୍କ ସହ ଦଳୀୟ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପରିବା ବଜାର ସ୍ଥିତ ଇନ୍ଦିରା ଗାନ୍ଧୀଙ୍କ ପ୍ରର୍ତ୍ତୀମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନଗର ପରିକ୍ରମା କରିବା ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ନଗର ସଭାପତି ସୁନରାମ ସାବତ, ପୂର୍ବତନ ବିଧାୟକ ହରିହର ସାହୁ, ସନ୍ତୋଷ ପାଣିଗ୍ରାହୀ, ବେଣୁଧର ବିଷୋୟୀ, ନାରାୟଣ ପାଢି, ବନମାଳି ସାମଲ, ବୃନ୍ଦାବନ ଦାସ, ପ୍ରଭାକର ପାଣିଗ୍ରାହୀଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


