ଦଳୀୟ ବିଜ୍ଞାପନ ଉପରେ ନିର୍ବାଚନ ଆୟୋଗଙ୍କ କଟକଣା
ନୂଆଦିଲ୍ଲୀ(ଏଜେନ୍ସି): ନିର୍ଦ୍ଧାରିତ ନିର୍ବାଚନ ତାରିଖ କିମ୍ବା ଏହାର ଗୋଟିଏ ଦିନ ପୂର୍ବରୁ କୌଣସି ରାଜନୈତିକ ଦଳ, ପ୍ରାର୍ଥୀ କିମ୍ବା ସେମାନଙ୍କ ସମର୍ଥକଙ୍କ ଦ୍ୱାରା ରାଜନୈତିକ ବିଜ୍ଞାପନ ପ୍ରକାଶ କରିପାରିବେ ନାହିଁ । କେନ୍ଦ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଦଳୀୟ ବିଜ୍ଞାପନ ପ୍ରକାଶନ ଉପରେ ଏପ୍ରକାର କଟକଣା ଲାଗୁ କରାଯାଇଛି । ୨ଠ୧୯ ଲୋକସଭା ନିର୍ବାଚନର ସମସ୍ତ ୭ଟି ପର୍ଯ୍ୟାୟ ପାଇଁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ ଏବଂ ନିର୍ବାଚନ କମିଶନଙ୍କ ଯାଞ୍ଚଞ୍ଚକମିଟି ଦ୍ୱାରା ମଞ୍ଜୁରିପ୍ରାପ୍ତ ବିଜ୍ଞାପନ ହିଁ ପ୍ରକାଶ ପାଇବ ବୋଲି କମିଶନ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଯେକୌଣସି ବିଜ୍ଞାପନ ପାଇଁ ପ୍ରଥମେ ନିର୍ବାଚନ ଆୟୋଗଙ୍କ ସ୍ୱୀକୃତି ନେବା ଆବଶ୍ୟକ ହୋଇଯାଇଛି । ତେବେ ଏଭଳି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ କମିଶନ ତାଙ୍କର ସାମ୍ବିଧାନିକ କ୍ଷମତା ବ୍ୟବହାର କରିଛନ୍ତି । ୨ଠ୧୫ରେ ବିହାର ବିଧାନସଭା ନିର୍ବାଚନ ବେଳେ କମିଶନ ଏଭଳି ପଦକ୍ଷେପ ନେଇଥିଲେ । ତେବେ ସମଗ୍ର ଦେଶରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କମିଶନଙ୍କ ନିଷ୍ପତ୍ତି ଦୀର୍ଘଦିନ ହେଲା ଆଇନ ମନ୍ତ୍ରାଳୟରେ ପଡ଼ିରହିଛି । ୨ଠ୧୬ରେ କମିଶନ ନିର୍ବାଚନ ଆଇନ୍ରେ ସଂଶୋଧନ ଆଣି ଏ ଦିଗରେ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଏବେ କମିଶନ ତାଙ୍କର ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି ।