ଦଳ ଚାହିଁଲେ ଲଢ଼ିବି: ପ୍ରିୟଙ୍କା
ନୂଆଦିଲ୍ଲୀ(ଏଜେନ୍ସି): ପୂର୍ବରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଆସୁଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବେ ନିଜର ମନ ପରିବର୍ତ୍ତିତ କରିବା ଭଳି ମନେହେଉଛି । ଆଜି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଦଳ ଯଦି ଚାହିଁବ, ତେବେ ସେ ଚଳିତ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି । କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧିଙ୍କ ନିର୍ବାଚନ ମଣ୍ଡଳୀ ଆମେଥିରେ ଆଜି ପ୍ରଚାର କରୁଥିବା ସମୟରେ ପ୍ରିୟଙ୍କା ଏପରି କହିଛନ୍ତି । ସେ କହିଥିଲେ ଯେ, ସେ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ କି ନା ସେସମ୍ପର୍କରେ ସେ ବ୍ୟକ୍ତିଗତ ଭାବେ କୌଣସି ନିଷ୍ପତ୍ତି ନେଇନାହାନ୍ତି । ବରଂ ଯଦି ତାଙ୍କୁ ଦଳ ନିର୍ବାଚନ ଲଢ଼ିବାକୁ କହିବ, ତା’ହେଲେ ସେ ନିଶ୍ଚିତ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ତାଙ୍କର ଗୋଟିଏ ଇଚ୍ଛା ଯେ ସେ ଦଳ ପାଇଁ କାମ କରିବେ । ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ଚର୍ଚ୍ଚା ଜୋର ଧରିଛି ।
ପ୍ରକାଶ ଯେ, ପୂର୍ବରୁ ପ୍ରିୟଙ୍କା ମା’ ସୋନିଆ ଗାନ୍ଧିଙ୍କ ରାଏବରେଲୀ ଆସନରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା । କିନ୍ତୁ ୨ଠ୧୪ ପରି ସୋନିଆ ଏଥର ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ସରିଥିବାରୁ ଏବେ ପ୍ରିୟଙ୍କା କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତା’କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଯାଇଛି ।


