ଦଳ ଛାଡିଲେ ପ୍ରକାଶ

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା। ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି।
ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, କଂଗ୍ରେସ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିଲେ।
ସେ ଆହୁରି ଲେଖିଛନ୍ତି,“ମୁଁ ୨୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ ଅବହେଳା କଲା। ସେଥିପାଇଁ ଦୁଃଖର ସହିତ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।”କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରକାଶ କହିଛନ୍ତି, ଦଳରେ ବାରମ୍ବାର ଅପମାନିତ ହୋଇ ଆସୁଥିଲି। ପ୍ରାୟ ବର୍ଷେ ହେଲାଣି ଆଉ ଦଳୀୟ ଚିହ୍ନ ବ୍ୟବହାର କରୁ ନଥିଲି।
ପ୍ରକାଶ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ସେ କହିଛନ୍ତି,“ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରିବା ପରେ କେଉଁ ଦଳକୁ ଯିବି, ସେ ନେଇ ନିଷ୍ପତ୍ତି ନେବି। ଦିନେ ଦୁଇ ଦିନ ଭିତରେ ଏନେଇ ନିଷ୍ପତ୍ତି ନେବି।”
ବହୁ ଦିନରୁ ଶୁଣାଯାଉଥିଲା ଯେ ପ୍ରକାଶ ବେହେରା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବେ। ତେବେ ଗତକାଲି ଖବର ଆସିଥିଲା ଯେ ସେ ବିଜେପିରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି। ଗତକାଲିର ଖବର ଅନୁଯାୟୀ ସେ ଆଜି ନୂଆଦିଲ୍ଲୀରେ ବିଜେପିରେ ମିଶିବେ।
ପ୍ରକାଶଙ୍କ ପୂର୍ବରୁ ନବ ଦାସ କଂଗ୍ରେସ ଛାଡ଼ିଥିଲେ। ନବ ଝାରସୁଗୁଡ଼ା ବିଧାୟକ ଥିଲେ। କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲା। ସେ ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ଦଳ ବିରୋଧୀ କାର‌୍ୟ୍ୟ ପାଇଁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ଏହା ପରେ ସେ ଦଳରୁ ଇସ୍ତଫା ଦେଇ ବିଧାୟକ ପଦ ବି ଛାଡ଼ିଥିଲେ। ତା’ପରେ ସେ ବିଜେଡିରେ ମିଶି ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ