ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ମାମଲା : ବିଇଓଙ୍କୁ ଘେରିଲେ ଛାତ୍ରଛାତ୍ରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗରରେ ଥିବା ଏକ ବିଦ୍ୟାଳୟରେ ଜନୈକ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ବିଜ୍ଞାନ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରିବାକୁ ଆସିଥିବା ବ୍ଲକ ଶିକ୍ଷାଧିକାରୀ ତନ୍ମୟ କୁମାର ବେହେରାଙ୍କୁ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅଭିଭାବକ, ଛାତ୍ରଛାତ୍ରୀମାନେ ଘେରାଉ କରିଥିଲେ । ମୁଖ୍ୟ ଫାଟକକୁ ତାଲା ମଧ୍ୟ ପକାଇ ଦେଇଥିଲେ । ଏଥିସହିତ ବିଦ୍ୟାଳୟକୁ ଆସୁଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ବିଦ୍ୟାଳୟ ହତା ମଧ୍ୟକୁ ପୁରାଇ ଦେଇନଥିଲେ । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ସେମାନେ ପ୍ରାୟ ୨ ଘଣ୍ଟା କାଳ ଆନ୍ଦୋଳନ କରିଥିଲେ । ଏହି ସମୟରେ ଗଣଶିକ୍ଷା ମନ୍ତ୍ରୀ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫୋନ ଆସିଥିଲା । ଫଳରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ବାଧ୍ୟହୋଇ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଯୁକ୍ତ ଶିକ୍ଷକ ବିଶ୍ୱମ୍ବର ପରିଡ଼ାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଗତ ସୋମବାର ବିଜୟ ନଗରରେ ଥିବା ସଂପୃକ୍ତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିଲା । ଏହି ସମୟରେ ବିଜ୍ଞାନ ଶିକ୍ଷକ ବିଶ୍ୱମ୍ବର ପରିଡ଼ା ଛାତ୍ରୀ ଜଣଙ୍କୁ ପଛ ବେଞ୍ଚକୁ ଯିବା ପାଇଁ କହିଥିଲେ । ଫଳରେ ଛାତ୍ରୀ ଜଣକ ପଛ ବେଞ୍ଚକୁ ଯାଇଥିଲେ । ଏହାର ସୁଯୋଗ ନେଇ ସଂପୃକ୍ତ ଶିକ୍ଷକ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ । ଛାତ୍ରୀ ଜଣକ ଘରକୁ ଫେରିବା ପରେ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିଥିଲେ । ଫଳରେ ପରିବାର ପକ୍ଷରୁ ମଙ୍ଗଳବାର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗପତ୍ରକୁ ପ୍ରଧାନ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଇଥିଲେ । ପରଦିନ ଅର୍ଥାତ ବୁଧବାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଶିକ୍ଷକଙ୍କୁ ଗୁରୁବାର ରାଜନଗରକୁ ବଦଳି କରାଯାଇଥିଲା । ଏହାକୁ ନେଇ ଜନ ଅସନ୍ତୋଷ ବଢିଥିଲା । ଫଳରେ ଘଟଣାର ତଦନ୍ତ ପାଇଁ ବିଇଓ ତନ୍ମୟ କୁମାର ବେହେରା ଶୁକ୍ରବାର ବିଦ୍ୟାଳୟକୁ ଆସିଥିଲେ । ଆନ୍ଦୋଳନ ଖବର ପାଇ ବିଦ୍ୟାଳୟ ପରିସରକୁ ଆସିଥିବା ମହାକାଳପଡ଼ା ଥାନାଧିକାରୀ ମନୋରଞ୍ଜନ ଚୌଧୁରୀଙ୍କୁ ଛାତ୍ରଛାତ୍ରୀମାନେ ନିବେଦନ କରିଥିଲେ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ । ଏପରିକି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ଛାତ୍ରଛାତ୍ରୀମାନେ ପୋଲିସର ଗୋଡ଼ ଧରିଥିଲେ । ଦୁଇ ଦିନ ମଧ୍ୟରେ ଅଭିଯୁକ୍ତ ଶିକ୍ଷକ ଗିରଫ ହେବେ ବୋଲି ଥାନାଧିକାରୀ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ସ୍ୱାଭବିକ ହୋଇଥିଲା ।


