ଦଶହରା ପୂଜା ସହ ମେଲାଣି ନେଲେ ମା ଦୁର୍ଗା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ନିରାଡମ୍ବର ଭାବେ ମାଦୁର୍ଗାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ଗାଇଡଲାଇନ ଅନୁଯାୟୀ ବ୍ଲକର ସରସଦା, ପାଟୁଳି, ଜୋରାଗଡିଆ, ପାଳସାହି, ନିର୍ଗୁଣ୍ଡି, ମଞ୍ଜୁରୀରୋଡ, ବୟାଁ ପ୍ରମୁଖ ସ୍ଥାନରେ ମା ସିଂହବାହିନୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଷଷ୍ଠୀ ବେଲ୍ୱବରଣୀ ଠାରୁ ଦଶମୀ ଯାଏଁ ମାଆଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଏହା ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିବା ଜଣାପଡିଛି । ଅଷ୍ଟମୀ, ଦଶମୀ ଦିନ ମାଆଙ୍କର ପ୍ରମୁଖ ପୂଜା ରହିଥିବାରୁ ମଣ୍ଡପ ଗୁଡିକରେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଥିଲା । ଏହାକୁ ଛାଡିଦେଲେ କୌଣସି ସ୍ଥାନରେ କଟକଣା ପାଇଁ ଯାତ୍ରା କିମ୍ବା ମେଲୋଡି ଉତ୍ସବ ଦେଖିବାକୁ ମିଳିନଥିଲା । ବିଭିନ୍ନ ପୂଜାକମିଟି ପକ୍ଷରୁ ଅତି ନିରାଡମ୍ବର ଭାବେ ଚଳିତବର୍ଷ ମା ସିଂହବାହିନୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ଦଶହରା ପୂଜା ପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ନିକଟ ପୁଷ୍କରଣୀ ଓ ନଦୀରେ କମିଟି ପକ୍ଷରୁ ବିସର୍ଜନ କରାଯାଇଛି ।


