ଦଶାଶ୍ୱମେଧ ଘାଟରେ ୧୪୪ ଧାରା

ଯାଜପୁର: ଆଜି ପବିତ୍ର ମହାବାରୁଣୀ ସ୍ନାନ ଯୋଗ । ୧୨ବର୍ଷରେ ଥରେ ଏହି ସ୍ନାନ ଯୋଗ ପଡିଥାଏ । ମାତ୍ର ଚଳିତ ବର୍ଷ କରୋନା ପାଇଁ ଯାଜପୁର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ୧୪୪ ଧାରା ଜାରି କରାଯାଇଛି। ୨ପ୍ଲାଟୁନ ପୋଲିସ ମଧ୍ୟ ମୁତୟନ କରାଯାଇଛି । ବାରୁଣୀ ବୁଡକୁ ଶ୍ରଦ୍ଧାଳୁମାନେ ନ ଆସିବାକୁ ବିଭିନ୍ନ ଜାଗାରେ ପୋଲିସ ପକ୍ଷରୁ ଚେକପୋଷ୍ଟ କରାଯାଇ ବାରୁଣୀ ସ୍ନାନକୁ ବାରଣ କରାଯାଇଛି । ଚଳିତ ବର୍ଷ ମହାବାରୁଣୀ ସ୍ନାନ ଯୋଗ ଥିବାରୁ ପିଣ୍ଡଦାନ ଏବଂ ବୁଡ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଥିଲା । ପୂର୍ବରୁ ମଧ୍ୟ ଏନେଇ ପୌରପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମାତ୍ର ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନାକୁ ରୋକିବା ନିମନ୍ତେ ଯାଜପୁର ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ଦଶାଶ୍ୱାମେଧ ଘାଟ ଏବଂ ପାଖାପାଖି ଅଂଚଳରେ ୧୪୪ ଧାରା ଲାଗୁ ହୋଇଛି ।ଆଜି ସକାଳୁ ସହରର ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସକାଳୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଘାଟ ଅଂଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଜିଲ୍ଲାପାଳ ଯାଜପୁରବାସୀଙ୍କୁ ଆଜିର ଦିନରେ ବୁଡକୁ ନ ଆସି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ସ୍ଥାନୀୟ ପୂଜାରୀ, ପୁରୋହିତମାନେ ସମର୍ଥନ କରିବା ସହ ରୋଗ ଯାଜପୁରବାସୀଙ୍କ ମଧ୍ୟରେ ନ ବ୍ୟାପୁ ବୋଲି ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।ସକାଳୁ ଜିଲ୍ଲାପାଳ ରଂଜନ କୁମାର ଦାସ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ବିଡିଓ ସୌରଭ ଚକ୍ରବର୍ତୀ, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ବାରୁଣୀ ଘାଟ ଅଂଚଳ ବୁଲି ଦେଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ