ଦାଉ ସାଜିଛି ଦାରିଦ୍ରତା, ମରଣ ମୁହଁରେ ପୁଅ, ବାପର ଦ୍ୱିତୀୟ ବିବାହ ପ୍ରସ୍ତୁତି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଜୀବନର ଅର୍ଥ ବୁଝିବା ଆଗରୁ ମୃତ୍ୟୁର ଦ୍ୱାରଦେଶରେ ଛିଡାହେବା କେଉଁ ଜନ୍ମର ପାପ ହୋଇଥାଇପାରେ । କୋମଳ ବୟସରେ ହସିଖେଳି ବୁଲିବା ଆଗରୁ ମାରାତ୍ମକ ରୋଗ ମାଡି ଆସିଥାଏ । ଏହା ସହିତ ଦାରିଦ୍ରତା ମଧ୍ୟ ଦାଉ ସାଜିଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବିରୋଳି ଗ୍ରାମରେ । ଗ୍ରାମର ନାରାୟଣ ଜେନାଙ୍କ ଝିଅ ସୁଜାତା ଧାମନଗର ଥାନା ଦେହୁଡିଆନନନ୍ଦପୁର ଗ୍ରାମର ମାନସ ଜେନାକୁ ୨୦୧୭ମସିହାରେ ବିବାହ କରିଥିଲେ । ବିବାହ ପରେ ସୁଜାତାଙ୍କର ଏକ ପୂତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁଅ ଆଶିଷକୁ ୬ମାସ ହୋଇଥିବାବେଳେ ସେ ବ୍ଲକ କ୍ୟାନସରରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଠିକ ଏହି ସମୟରେ ସ୍ୱାମୀ ମାନସ ସ୍ତ୍ରୀକୁ ନିର୍ଯାତନା ଦେବା ସହ ପୁଅକୁ ଧରି ବାପ ଘରକୁ ପଳାଇଯିବାକୁ କହିଥିଲା । ମାନସ ନିଜର ସୁବିଧାବାଦୀ ନୀତି ଅନୁଯାୟୀ ପୁଅର ଚିକିତ୍ସା ଦାୟିତ୍ୱରୁ ଓହରି ଯାଇ ମାଆ, ଛୁଆ ଦୁଇ ଜଣଙ୍କୁ ବାପ ଘରକୁ ପଠାଇଦେଇଥିଲା । ପୁଅ ଭଲହେଲେ ଘରକୁ ଆସିବ ବୋଲି କହି ସେବେଠାରୁ ରାକ୍ଷାସ ସ୍ୱାମୀ ଆଉ ମାଆ ଛୁଆଙ୍କୁ ଧରାଛୁଆଁ ଦେଉନାହିଁ । ଏପଟେ ସୁଜାତା ଭାଗ୍ୟକୁ ଆଦରି ବାପଘରେ ରହି ବାପଭାଇଙ୍କୁ ଭରସା କରି ପୁଅର ଚିକିତ୍ସା କରୁଛନ୍ତି । ଦୀର୍ଘ ଦୁଇବର୍ଷ ହେବ ନିଜର ସ୍ୱଳ୍ପ ରୋଜଗାର ମଧ୍ୟରେ ମଧ୍ୟ ବାପ ଭାଇ ସାହାର୍ଯ୍ୟ କରୁଥିବାବେଳେ ନିଷ୍ପାପ ଶିଶୁଟିର ଜୀବନ ପାଇଁ ଜମିବାଡି ମଧ୍ୟ ବିକିସାରିଲେଣି । ଏପରିକି ବୃଦ୍ଧ ବୟସରେ ସୁଜାତାର ବାପା ନାତି ପାଇଁ ମଧ୍ୟ ମଗାଯଚା କରୁଛନ୍ତି । ପ୍ରତ୍ୟକ ମାସରେ ଦୁଇଥର ରକ୍ତ ବଦଳିବା ଓ ଅନ୍ୟାନ୍ୟ ବାବଦରେ ଅନେକ ଟଙ୍କା ଦରକାର ପଡୁଥିବାରୁ ସୁଜାତା ମଧ୍ୟ ମଗାଯଚା କରୁଛନ୍ତି । ରେଡକ୍ରସ ପକ୍ଷରୁ ଆଶିଷର ଚିକିତ୍ସା ପାଇଁ ୨୦ହଜାର ଟଙ୍କା ଦିଆଯାଇଥିଲେ ସୁଦ୍ଧା ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଏକମାତ୍ର ପୁଅର ଜୀବନ ପାଇଁ ମାଆ ଆଜି ନିଜ ଜୀବନକୁ ବାଜି ଲଗାଇଦେଇଥିବାବେଳେ ବାପ କିନ୍ତୁ ଦ୍ୱିତୀୟ ବିବାହ ପାଇଁ ଯୋଗାଡରେ ରହିଥିବା ଅଭିଯୋଗ ହୋଇଛି । ସ୍ୱାମୀ ସ୍ତ୍ରୀଙ୍କ ମାମଲା ଏବେ କୋର୍ଟରେ ବିଚାରଧିନ ଥିବାବେଳେ ମାନସ ବାହାହେବା ପାଇଁ ଯୋଜନା କରୁଥିବା ସୁଜାତା ଜାଣିବାକୁ ପାଇଛନ୍ତି । ଏନେଇ ସେ ମାନସକୁ ଯାଇ ପଚାରିବାରୁ ଓଲଟା ମାଆ ଛୁଆଙ୍କୁ ମାରଧର କରିଥିବା ଜଣାପଡିଛି । ଏପରିକି ମୁଁ ବାହା ହେଲେ ତୁ କଣ କରିବୁ ବୋଲି ଧମକ ଦେଇ କହିଛି । ପୁଅର ଚିକିତ୍ସା ପାଇଁ ବାପ ଅର୍ଥ ଦେବାକୁ ମାମଲାରେ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏଯାଏଁ ଏବାଦରେ ମାନସ ଟଙ୍କାଟିଏ ଦେଇନାହିଁ । ତେଣୁ ସୁଜାତା ନିରୁପାୟ ହୋଇ ପୁଅକୁ ଧରି ବାପାଙ୍କ ସହିତ ସ୍ଥାନୀୟ ଥାନାରେ ହାଜର ହୋଇ ସମସ୍ତ ଘଟଣା ଜଣାଇଛି । ସ୍ୱାମୀ ବିପଦବେଳେ ହାତଛାଡିଦେଇ ଆଇନର ନିର୍ଦ୍ଦେଶକୁ ବେଖାତିର କରି ଅଏସ ପାଇଁ ଦ୍ୱିତୀୟ ବିବାହ ପାଇଁ ଯୋଜନା କରୁଥିବାବେଳେ ମାଆ ପୁଅ ଏପଟେ ବିପଦରେ ପଡିଛନ୍ତି । ତେଣୁ ପୁଅର ଜୀବନ ଓ ଘଟଣାର ନ୍ୟାୟ ପାଇଁ ସୁଜାତା ନିବେଦନ କରିଛନ୍ତି ।


