ଦାଦନ ଖଟିବାକୁ ବିଦେଶ ମୁହାଁ ଗାଁ ଲୋକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଗରିବ ଲୋକମାନେ ଯେପରି ଭୋକିଲା ନରହିବେ ସେଥିପ।ଇଁ କେନ୍ଦ୍ର ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଥିଲେ । ରାଜ୍ୟ ସରକାର ଏହି ମନରେଗା ଯୋଜନା ଉପରେ ଗୁରୁତ୍ୱ ଦେଉଥିବାବେଳେ ପୁର୍ବରୁ ଶହେ ଦିନର କାର୍ଯ୍ୟ ପରିବର୍ତ୍ତେ ଏବେ ଦୁଇଶହ ଦିନ କାମ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯେପରି ଓଡିଶାର ଲୋକମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ନଯାଆନ୍ତି ସେଥିପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିବାବେଳେ ହାଟଡିହି ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ହାଟଡିହି ବ୍ଲକର ପୁର୍ବତନ ବିଡିଓ ସୁଶାନ୍ତ କୁମାର ବାରିକ ଗତବର୍ଷ ହାଟଡିହି ବ୍ଲକରେ ଗତ ନଭେମ୍ବର ମାସରେ କାର୍ଯ୍ୟରେ ଯୋଗଦେବା ପରେ ହାଟଡିହି ବ୍ଲକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକୁ ବନ୍ଦ କରିଦେଇଥିଲେ । ପୁର୍ବ ବର୍ଷରେ ଏଥିରେ ଅନେକ ଦୁର୍ନିତି ପରିଲକ୍ଷିତ ହୋଇଥିବା ଦର୍ଶାଇ ଏହି କାମକୁ ବନ୍ଦ କରିଦେବା ପରେ କେବଳ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ପରିବାରର ଜବକାର୍ଡଧାରୀଙ୍କ କାମ ଗୁଡିକ କରାଇଲେ । ଫଳରେ ଗୋଟିଏ ବର୍ଷ ସମ୍ପୁର୍ଣ୍ଣଭାବେ ମନରେଗା ଯୋଜନାର କାର୍ଯ୍ୟ ବନ୍ଦ ହୋଇଯିବାରୁ ଯବକାର୍ଡ ଧାରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ଗୋଟିଏ ପଟେ ହାଟଡିହି ବ୍ଲକର ତିନୋଟିଯାକ ଖଣି ଦୀର୍ଘ ବର୍ଷ ହେବା ବନ୍ଦ ହୋଇଯାଇଥିବାବେଳେ ଅନ୍ୟପଟେ ମନରେଗା ଯୋଜନା କାର୍ଯ୍ୟ ବନ୍ଦ ହୋଇଯିବା ଗରିବ ଖଟିଖିଆଙ୍କ ପାଇଁ ବେଡି ଉପରେ କୋରଡାମାଡ ସଦୃଶ ହୋଇଯାଇଥିଲା । ଫଳରେ ହଜା ହଜାର ବେକାର ଯୁବକ ଦାଦାନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥିଲେ । ଗତବର୍ଷ ପ୍ରତ୍ୟେକ ପଞ୍ଚାୟତରେ ମନରେଗା ଯୋଜନାରେ କାର୍ଯ୍ୟ କରିବାପାଇଁ ହଜାର ହଜାର ଜବକାର୍ଡଧାରୀ ପ୍ରତି ପଞ୍ଚାୟତ ମାନଙ୍କରେ ସି-୧ଫର୍ମ ଜରିଆରେ କାମ କରିବାକୁ ଆବେଦନ କରିଥିବାବେଳେ ତାହାକୁ ବ୍ଲକ କର୍ତ୍ତୁପକ୍ଷ ଶୁଣି ନଥିଲେ । ମନରେଗା ଯୋଜନାଟି ଏକ ଆଇନିରେ ପରିଣତ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନର ଏପରି ନିଷ୍ପତି ଗରିବ ଖଟିଖିଆଙ୍କ ଉପରେ ଘୋର ପ୍ରଭାବ ପକାଇଥିଲା । ମନରେଗା ଯୋଜନାର କାମ ଗୁଡିକ ଅକ୍ଟୋବର ୨ରୁ ଜୁନ ମାସ ପର୍ଯ୍ୟନ୍ତ ଚାଲୁ ହେବାକୁ ଥିବାବେଳେ ୪ମାସ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୩୧ଟି ଯାକ ପଞ୍ଚାୟତ ମଧ୍ୟରୁ କୌଣସି ଗୋଟିଏ ପଞ୍ଚାୟତରେ ବି ଏହି ଯୋଜନାର କାର୍ଯ୍ୟ ଆରମ୍ଭ ହୋଇପାରିଲାନି । ଯାହାଦ୍ୱାରାକି ଏବେ ପ୍ରତି ପଞ୍ଚାୟତରେ ଶହଶହ ଯବକାର୍ଡଧାରୀ ପୁନର୍ବାର ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଛି । ଏନେଇ ଗତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଓ ସମିତିସଭ୍ୟମାନେ ବିଡିଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ବିଡିଓ ପ୍ରତି ପଞ୍ଚାୟତ ଗୁଡିକ ବୁଲି ଦେଖିବାପରେ ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି । କିନ୍ତୁ ୪ମାସ ବିତିଗଲା ପରେ ଆଉ କେତେଦିନ ଏହି କାର୍ଯ୍ୟ ପାଇଁ ଜବକାର୍ଡଧାରୀ ମାନେ ଅପେକ୍ଷା କରିବେ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଛି । ଯେଉଁ ପଞ୍ଚାତରେ ଯେଉଁ କାମ ଗୁଡିକରେ ଦୁର୍ନିତି ହୋଇଛି ବୋଲି ପୁର୍ବର ବିଡିଓ ଜାଣିଲେ ସେନେଇ ସଂପୃକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସମସ୍ତ ପ୍ରକଳ୍ପ ଏପରିକି ଯୋଜନାକୁ ବନ୍ଦ କରିଦେବା କେତଦୁର ଯୁକ୍ତିଯୁକ୍ତ ତାହାହିଁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ହାଟଡିହି ବ୍ଲକରେ ତୁରନ୍ତ ମନରେଗା ଯୋଜନା କାର୍ଯ୍ୟକାରୀ କରାଇ ଯୋଜନାର ସଫଳ ରୁପାୟନ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଦାବି ହେଉଛି ।


