ଦାଦନ ଖଟିବାକୁ ଯାଇ ଟ୍ରେନରେ ନିଖୋଜ
ମୋହନା, (ଅଂଶୁମାନ ପଣ୍ଡା):ପେଟ ପାଇଁ ଦାଦନ ଖଟିବାକୁ ଯାଉଥିବା ହେଲେ ଅଧା ରାସ୍ତାରେ ଟ୍ରେନରୁ ନିଖୋଜ ହୋଇ ଯାଇଛି ବାପା । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କେନ୍ଦୁପଡା ଗାଁର ଭାସ୍କର ସିଂ (ବୟସ ୬୫) ଗତ ୨୮ ତାରିଖରେ ନିଜ ପୁଅ ସହ ଦାଦନ ଖଟିବାକୁ କେରଳ ଅଭିମୁଖେ ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଅନ୍ତର୍ଦ୍ୱୟ ଟ୍ରେନ ନଂ ୨୨୮୭୭ରେ ରାତି ୨ ଟା ସମୟରେ ଟ୍ରେନରେ ପୁଅ ସହ ଯାତ୍ରା ଆରମ୍ଭ କରିଥିଲେ । ତା ପର ଦିନ ଅର୍ଥାତ ୨୯ ତାରିଖରେ ରାତି ୧୦ ସମୟରେ ଟ୍ରେନରେ ବାପାକୁ ଆଉ ଦେଖି ପାରି ନଥିଲା ସାଙ୍ଗରେ ଯାଉଥିବା ପୁଅ ଟୁଟୁ ସିଂ । ତିରିପୁର ଠାରୁ କୋଇମ୍ବାଟୁର ମଝିରେ ଟ୍ରେନରେ ସେ ନିଖୋଜ ହୋଇଯାଇଥିବା ସନ୍ଦେହ କରି ଟ୍ରେନର ବଗି ଗୁଡିକରେ ଖୋଜା ଖୋଜି କରିଥିଲେ । ହେଲେ ବାପାର କୌଣସି ସନ୍ଧାନ ନ ପାଇ ନିରାଶ ହୋଇ ଶେଷରେ ପୁଅ ପାଲଘାଟ ରେଳବାଇ ଥାନାରେ ବାପାର ନିଖୋଜ ସମ୍ପର୍କିତ ଲିଖିତ ଅଭିଯୋଗ କରିଛି । ଏ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।


