ଦାଦା ବଟି ଦାବି କରି ବାଲି ଗୁତାଦାରଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଥାନାରେ ୨ ମାମଲା ରୁଜୁ
ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ ତହସିଲ ତଥା ଆସିକା ଥାନା ପାକିଡି ଋଷିକୂଲ୍ୟା ନଦୀ ବାଲିଘାଟ ଗୁତାଦାରଙ୍କୁ ମାସିକିଆ ଦାଦାବଟି ମାଗିବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଏବଂ ଦାଦାବଟି ନଦେଲେ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ବାଲିଘାଟ ଗୁତାଦାର ସୁଧାନିଧି ଚୌଧୁରି ଘଟଣା ନେଇ ଆସିକା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ଆସିକା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ସୋମବାର ସକାଳେ ଆସିକା ଥାନା ପାକିଡି ଋଷିକୂଲ୍ୟା ନଦୀ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଉଥିଲା । ଏହି ସମୟରେ ହିଞ୍ଜିଳି ଥାନା ପିତଳ ଗ୍ରାମର ଜୈନିକ ଜନପ୍ରତିନିଧିଙ୍କ ପ୍ରରୋଚନାରେ ପାକିଡି ଗ୍ରାମର ୩୦ରୁ ଉର୍ଦ୍ଧ୍ୱ ଯୁବକ ବାଲିଘାଟ ନିକଟରେ ପହଞ୍ଚି ହିଟାଚି ଚାଳକ ସୁନିଳ ଗୌଡଙ୍କୁ ସଂପୃକ୍ତ ନଦୀରୁ ବାଲି ଉତ୍ତୋଳନ କରିବାକୁ ମନା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରେ କିଛି ଯୁବକ ସୁନିଲଙ୍କ ମୋବାଇଲ ଛଡାଇ ନେବା ସହ ତାଙ୍କୁ ମାଡ ମାରିଥିଲେ । ଖବର ପାଇ ବାଲିଘାଟ ଗୁତାଦାର ସୁଧାନିଧି ଘଟଣା ସ୍ଥଳରେ ପହଞ୍ଜିବା ପରେ ପାକିଡି ଗ୍ରାମର ସୁଦୁରୁ କରଣ, ମିଥୁନ ଜେନା, ସନିଆ ଜେନା, ପରି ସ୍ୱାଇଁ, ସୁକୁରିଆ ସ୍ୱାଇଁ, ହରିକୃଷ୍ଣ ଜେନାଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ଯୁବକ ବାଲିଘାଟ ଗୁତାଦାରଙ୍କୁ ଆକ୍ରମଣ କରିବା ସହ ମାସିକ ୧ଲକ୍ଷ ଟଙ୍କା ଦାଦାବଟି ଦେବାକୁ ଧମକ ଦେଇଥିଲେ । ଦାଦାବଟି ନଦେଲେ ଜୀବନରେ ମାରିଦେବାକୁ ଧମକ ଦେବା ସହ ହିଟାଚି ଗାଡିକୁ ପୋଡିଦେବୁ ବୋଲି ଧମକ ଦେଇଥିଲେ । ଘଟଣା ଜାଣିପାରି ନିକଟରେ କାମ କରୁଥିବା କିଛି ଶ୍ରମିକ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଠାରୁ ସୁଧାନିଧିଙ୍କୁ ଉଦ୍ଧାର କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମର କିଛି ଯୁବକ ଉଦ୍ଧାରକାରୀ ଶ୍ରମିକ ନାରାୟଣ ବେହେରାଙ୍କୁ ଜାତିଆଣ ଆକ୍ଷେପ କରି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ନାରାୟଣ ଆହତ ହୋଇଥିଲେ । ଖବର ପାଇ ଆସିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ହେବା ପରେ ଘଟଣା ନେଇ ଆହତ ନାରାୟଣ ଘଟଣା ନେଇ ଆସିକା ଥାନାରେ ଅଭିଯୋଗ କରିଥିଲେ । ବାଲି ଗୁତାଦାର ଓ ଆହତ ଶ୍ରମିକ ଘଟଣା ନେଇ ମଙ୍ଗଳବାର ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଆସିକା ଥାନାରେ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନନ୍ତ ଚଳାଇଛି । ପ୍ରକାଶ ଥାଉକି, ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଳକ ପିତଳ ପଞ୍ଚାୟତର ଜୈନିକ ଜନ ପ୍ରତିନିଧ ବାଲି ଗୁତାଦାରଙ୍କୁ ମାସିକ ୧ଲକ୍ଷ ଟଙ୍କା ଦାଦାବଟି ମାଗୁଥିବା ବେଳେ ଗୁତାଦାର ଜଣଙ୍କ ମାସିକିଆ ବଟି ଦେବାକୁ ମନା କରିବାରୁ ଏଭଳି ଅପ୍ରତିକର ପରିସ୍ଥିତି ଉପୁଜିଥିବା ଜଣାପଡିଛି । ସଂପୃକ୍ତ ଜନ ପ୍ରତିନିଧିଙ୍କ ଇଶାରାରେ ପାକିଡି ଗ୍ରାମର କିଛି ଅପରାଧରେ ସଂଶ୍ଳିଷ୍ଟ ଯୁବକ ଏଭଳି କାରନାମା କରୁଥିବା ନେଇ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି ।