ଦାନା ବାନ୍ଧୁଛି ଲଘୁଚାପ
ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତଅ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମକୁ ଗତି କରିବ ଓ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଫଳରେ ୧୦ ତାରିଖରୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୦ ତାରିଖ ଦିନ ରାଜ୍ୟର ୮ଟି ଜିଲ୍ଲାରେ ଯଥା-ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲା ଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ତାରିଖ ଦିନ ବର୍ଷାର ପ୍ରକୋପ ବଢ଼ିବ । ଏ ଦିନ ୧୦ ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ଏହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ପୁରୀ ଓ ବୌଦ୍ଧ । ଏସବୁ ଜିଲ୍ଲାରେ ବର୍ଷାର ପରିମାଣକୁ ଲକ୍ଷ୍ୟ ରଖି କେନ୍ଦ୍ର ପକ୍ଷରୁ ୧୧ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବର୍ଷାର ପରିମାଣ ୬୪ ମିମିରୁ ୨୦୪ ମିମି ପର୍ଯ୍ୟନ୍ତ ରହିବ । ୮ ଓ ୯ ତାରିଖରେ ମଧ୍ୟ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ।


