ଦାନ୍ତୁଆଳ-ଜାମୁଗାଁ ରାସ୍ତାକୁ ଢଳିକି ରହିିଛି ବିଦ୍ୟୁତ ପୋଲ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ଗ୍ରାମରେ ବିଦ୍ୟୁତ ପୋଲ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ଢଳିକି ରହିଛି । ଲୁହା ବିଦ୍ୟୁତ ପୋଲରେ କଳଙ୍କି ଲାଗି ଯିବା ହେତୁ ବିଭାଗ ପକ୍ଷରୁ ଲୁହା ପୋଲ ସହିତ ଏକ ସିମେଂଟ ପୋଲ ବନ୍ଧା ଯାଇ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି । ହେଲେ ଏବେ ବିଦ୍ୟୁତ ପୋଲଟି ରାସ୍ତାକୁ ଢଳିକି ରହିଛି । ଫଳରେ ରାସ୍ତାରେ ଯାତାୟତରେ ଅସୁବିଧା ହେଉଛି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ଦାନ୍ତୁଆଳରୁ ଜାମୁଗାଁକୁ ସଂଯୋଗ କରିଛି । ଏହି ରାସ୍ତାର ଜାମୁଗାଁ ପ୍ରାଥମିକ ବିଦ୍ୟାଳୟ ନିକଟରେ ବିଦ୍ୟୁତ ବିଭାଗ ପକ୍ଷରୁ ଏହ ଲୁହା ପୋଲ ସାହାର୍ଯ୍ୟରେ ଗାଁକୁ ଏଲଟି ଲାଇନ ସଂଯୋଗ କରାଯାଇଛି । କିନ୍ତୁ ଲୁହା ପୋଲରେ କଳଙ୍କି ଲାଗିଯିବା ହେତୁ ବିଦ୍ୟୁତ ବିଭାଗ ପକ୍ଷରୁ ଲୁହା ପୋଲ ପାଶ୍ୱର୍ରେ ଏକ ସିମେଂଟ ପୋଲ ପୋତା ଯାଇ ଲୁହା ପୋଲ ସହିତ ବନ୍ଧା ଯାଇଛି । ଏହା ସତ୍ୱେ ଦୁଇଟି ଯାକ ପୋଲ ଏବେ ରାସ୍ତା ଆଡକୁ ଢଳିକି ରହିଛି । ରାସ୍ତାକୁ ପୋଲ ଢଳିକି ରହିଥିବା ହେତୁ ରାସ୍ତାରେ ଯାନବାହନ ଯିବା ଆସିବାରେ ଅସୁବିଧା ହେଉଛି । ଯଦି କୌଣସି ଯାନବାହନ ଅସାବଧାନତା ବଶତଃ ପୋଲରେ ବାଡେଇ ହୋଇଯାଏ ପୋଲଟି କାହା ଉପରେ ପଡିବ ତାହା କହି ହେବ ନାହିଁ । ତେଣୁ ବିପଦପୂର୍ଣ୍ଣ ଭାବେ ରହିଥିବା ବିଦ୍ୟୁତ ପୋଲକୁ ଗୁଡିକୁ ତୁରନ୍ତ ହଟାଇବା ସହିତ ନୂତନ ପୋଲ ପକାଇବା ପାଇଁ ଗ୍ରାମର ରୁଦ୍ରାଶିଷ ପ୍ରଧାନ, ନିରଂଜନ ସାହାଣୀ, ଲିଙ୍ଗରାଜ ମହାନ୍ତି, ଶକ୍ତିସ୍ୱରୂପ ପ୍ରଧାନଙ୍କ ସମେତ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏସଂର୍ପକରେ ଟାଟା ପାୱାରର ନାଉଗାଁ ସେକ୍ସନ ଲିଡ ମ୍ୟାନେଜର ଦୀପକ ଭୂଇଙ୍କୁ ପଚାରିବାରୁ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।