ଦାମୀ ଲିଚୁ
ଦୁନିଆରେ ଏମିତି କେତେକ ଫଳମୂଳ ରହିଛି, ଯାହାର ଦାମ୍ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ବର୍ଷର କେତେକ ନିର୍ଦ୍ଦିଷ୍ଟ ଋତୁରେ ବଜାରରେ ଲିଚୁକୋଳି ଉପଲବ୍ଧ ହୋଇଥାଏ। ଲିଚୁ ବା ଷ୍ଟ୍ରବେରିର ଅନେକ କିସମ ରହିଛି। ମାତ୍ର ସବୁଠାରୁ ମହଙ୍ଗା ହେଉଛି ଧଳା ଲିଚୁ ବା ଧଳା ଷ୍ଟ୍ରବେରି। ଏହା କେବଳ ଜାପାନରେ ଦେଖିବାକୁ ମିଳିଥାଏ। ଏହାକୁ ପ୍ରଥମେ ବିକଶିତ କରିଥିଲେ, ଜାପାନିଜ୍ ଉଦ୍ୟାନ କୃଷି ଗବେଷକ ୟାସୁହିଟୋ ତେସ୍ହିମା। ଏଥି ପାଇଁ ସେ ଚାରି ବର୍ଷ ଗବେଷଣା କରିଥିଲେ। ଏହା ଏକ ସଙ୍କର ଜାତୀୟ। ଏହାର ସ୍ୱାଦ, ସାଧାରଣ ଲାଲ ଷ୍ଟ୍ରବେରି ପରି। ତେବେ ସାଧାରଣ ଲାଲ ଷ୍ଟ୍ରବେରି ତୁଳନାରେ ଏହାର ଆକାର ଦୁଇ ଗୁଣରୁ ଅଧିକ ବଡ଼। ଏହା ‘ସିରୋଇ ହାଉସେକି’ ଭାବେ ନାମିତ; ଯାହାର ଓଡ଼ିଆ ଭାଷାନ୍ତର- ‘ଶ୍ବେତ ଅଳଙ୍କାର’। ନିର୍ଦ୍ଦିଷ୍ଟ ଭାବେ କେଉଁ ପଦ୍ଧତିରେ ଧଳା ଷ୍ଟ୍ରବେରି ସୃଷ୍ଟି ହୋଇଛି, ତାହାକୁ ଏହାର ସ୍ରଷ୍ଟା ଗୋପନୀୟ ରଖିଛନ୍ତି। ସୂର୍ଯ୍ୟ କିରଣ ପଡ଼ିବାକୁ ନ ଦେଇ, ସେ ଏପରି କରିପାରିଥିବା ଅନୁମାନ କରାଯାଉଛି। ଧଳା ଷ୍ଟ୍ରବେରି ଗୋଟିକ ପ୍ରତି ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଆଠ ଶହ ଟଙ୍କା।


