ଦାମ୍ପତ୍ୟ ଜୀବନକୁ ମଧୁମୟ କରେ ଅଖରୋଟ, ବାଦାମ
ଯେଉଁ ଦମ୍ପତିଙ୍କ ଶାରୀରିକ ଓ ମାନସିକ ସମ୍ପର୍କରେ କିଛି ସମସ୍ୟା ଦେଖାଯାଉଛି, ସେମାନେ ଅଖରୋଟ, ବାଦାମ, କାଜୁ ଭଳି ଡ୍ରାଏଫ୍ରୁଟ୍ ସେବନ କରିବା ଦ୍ବାରା ଉତ୍ତମ ଲାଭ ପାଇପାରିବେ। ଏସବୁ ଡ୍ରାଏଫ୍ରୁଟ୍ ସେବନ କରିବା ଦ୍ବାରା ସ୍ପର୍ମର ମାତ୍ରା ଓ ଗୁଣବତ୍ତା ଉତ୍ତମ ହୋଇଥାଏ। ଯେଉଁ ଲୋକମାନେ ନିଜ ଡାଏଟ୍ରେ ପ୍ରତ୍ୟେକ ଦିନ ଅଖରୋଟ ଓ ବାଦାମ ଭଳି ଡ୍ରାଏଫ୍ରୁଟ୍ ସେବନ କରନ୍ତି, ସେମାନଙ୍କର ସ୍ପର୍ମର ଗୁଣବତ୍ତା ଓ ପରିମାଣ ୧୬ ପ୍ରତିଶତ ଅଧିକ ଉତ୍ତମ ହୋଇଥାଏ। ସ୍ପେନ୍ର ରୋଭିରା ଇଭିରଗିଲି ୟୁନିଭର୍ସିଟିରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ କହିବାନୁସାରେ ସ୍ପର୍ମ କ୍ବାଲିଟିକୁ ଉତ୍ତମ କରିବା ଲାଗି ଡ୍ରାଏଫ୍ରୁଟ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ଗବେଷଣା ସମାନ ବୟସର ଦୁଇଟି ପୁରୁଷଙ୍କ ଗ୍ରୁପ୍କୁ ନେଇ କରାଯାଇଥିଲା। ଗବେଷଣା ସମୟରେ ଏହି ଦୁଇ ଗ୍ରୁପ୍କୁ ଅଲଗା ଅଲଗା ଡାଏଟ୍ରେ ରଖାଯାଇଥିଲା। ଗୋଟିଏ ଗ୍ରୁପ୍ର ପୁରୁଷଙ୍କ ପାଇଁ ନର୍ମାଲ ଡାଏଟ୍ ଥିବାବେଳେ ଅନ୍ୟ ଗ୍ରୁପ୍ର ପୁରୁଷଙ୍କ ଡାଏଟ୍ରେ ପ୍ରତ୍ୟେକ ଦିନ ଓମେଗା ୩ ଫ୍ୟାଟି ଏସିଡ୍ ଚର୍ବିଯୁକ୍ତ ବାଦାମ ଓ ଅଖରୋଟ ସାମିଲ୍ କରାଯାଇଥିଲା। ଏହି ଗବେଷଣା ୧୮ରୁ ୩୫ ବର୍ଷ ବୟସର ୧୧୯ ଜଣ ସୁସ୍ଥ ପୁରୁଷଙ୍କ ଉପରେ କରାଯାଇଥିଲା। ଡାକ୍ତର ଏଲବର୍ଟ ହ୍ୟୁଟ୍ସଙ୍କ ନେତୃତ୍ବରେ କରାଯାଇଥିବା ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ ଯେଉଁ ଲୋକଙ୍କ ଡାଏଟ୍ରେ ପ୍ରତ୍ୟେକ ଦିନ ବାଦାମ ଓ ଅଖରୋଟ ସାମିଲ୍ ଥିଲା, ସେମାନଙ୍କର ସ୍ପର୍ମ କ୍ବାଲିଟି ଅନ୍ୟ ଗ୍ରୁପ୍ ତୁଳନାରେ ବହୁତ ଭଲ ଥିଲା। ଡା.ଏଲବର୍ଟ କହିଛନ୍ତି ଯେ ସ୍ବାସ୍ଥ୍ୟକର ଖାଦ୍ୟପେୟ କାରଣରୁ ଗର୍ଭଧାରଣ ପ୍ରକ୍ରିୟା ମଧ୍ୟ ସହଜ ହୋଇଥାଏ। କେବଳ ସେତିକି ନୁହେଁ, ଯେଉଁ ଲୋକଙ୍କ ଡାଏଟ୍ରେ ଡ୍ରାଏଫ୍ରୁଟ୍ ସାମିଲ୍ ଥିଲା, ସେମାନଙ୍କର ରିପ୍ରଡକ୍ଟିଭ୍ ସେଲ୍ସର ସ୍ବିମିଂ ଆବିଲିଟି ମଧ୍ୟ ୬ ପ୍ରତିଶତ ଅଧିକ ଭଲ ଥିବା ଦେଖିବାକୁ ମିଳିଥିଲା ବୋଲି ଡା.ଏଲବର୍ଟ କହିଛନ୍ତି। ଏହି ଗବେଷଣାର ଫଳାଫଳ ୟୁରୋପିଆନ୍ ସୋସାଇଟି ଅଫ୍ ହ୍ୟୁମାନ୍ ରିପ୍ରଡକ୍ସନ୍ ଏଣ୍ଡ ଏମ୍ବ୍ରେୟୋଲୋଜିରେ ପ୍ରକାଶିତ ହୋଇଥିଲା।