ଦାରିଙ୍ଗବାଡ଼ିରେ ସ୍ୱଚ୍ଛଭାରତ ମିଶନ ଫେଲ ହେବା ଦେଖିବାକୁ ମିଳୁଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ ସରସ ସୁନ୍ଦର କରିବାକୁ ବହୁବାର ବୈଠକ ବସୁଛି ହେଲେ ଏବେ ଉକ୍ତ ଅଞ୍ଚଳରେ ସ୍ୱଚ୍ଛଭାରତ ମିଶନ ଫେଲ ହେବା ଦେଖିବାକୁ ମିଳୁଛି । ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ନାକ ଟେକୁଛନ୍ତି, ଏଥିସହ ନିନ୍ଦା ମଧ୍ୟ କରୁଛନ୍ତି l  ଦାରିଙ୍ଗବାଡ଼ିର ମୁଖ୍ୟ ବସ୍‌ ଷ୍ଟାଣ୍ଡ ଅଞ୍ଚଳରେ କୁଢ଼ କୁଢ଼ ଅଳିଆ ଗଦା ହେବା ସହ ବସ୍‌ଷ୍ଟାଣ୍ଡକୁ ଲାଗି ଯାଇଥିବା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା କଡ଼ରେ ଏବେ ପୁତ୍ତିମୟ ଗନ୍ଧ ଯୋଗୁ ସାଧାରଣ ଲୋକ ଯାତାୟାତରେ ସମସ୍ୟା ହେଉଛି l ବସ୍‌ଷ୍ଟାଣ୍ଡରେ ରହିଥିବା ଏକମାତ୍ର ନଳକୁପ ଉପରେ ଯାତ୍ରୀଙ୍କ ସମେତ ଅଞ୍ଚଳର ଲୋକ ନିର୍ଭର କରୁଥିବା ବେଳେ ଏବେ ନଳକୁଅ ଚାରିପାଖରେ ପାଣି ଜମି ରହିବା ସହ କୁଢ଼ କୁଢ଼ ପଲିଥିନ ଏବଂ ଅଳିଆ ଗଦା ହୋଇ ଦୁର୍ଗନ୍ଧ ବାହାରୁଛି l ଉକ୍ତ ନଳକୁପ ସମାନାରେ ରହିଛି ତହସିଲଦାର ଙ୍କ କାର୍ଯ୍ୟାଳୟ। ଦୈନିକ ଲୋକ ବସଷ୍ଟାଣ୍ଡ ସହ ସେହି ଅଞ୍ଚଳରେ ରହିଥିବା ଜଳଚ୍ଛାୟା କାର୍ଯ୍ୟାଳୟ ଉପରେ ନିର୍ଭର କରୁଛନ୍ତି, ସେହିପରି ସେହି ରାସ୍ତା ଦେଇ କନ୍ୟାଶ୍ରମ ଏବଂ ଆଦର୍ଶ ବିଦ୍ୟାଳୟ ସହ କଲେଜ ରହିଛି l  ଦୈନିକ ଶହଶହ ଛାତ୍ରୀଛାତ୍ର ସେହି ରାସ୍ତା ଦେଇ ଯାତାୟାତରେ ସମସ୍ୟା ହେବା ସହ ସେହି ଅଞ୍ଚଳରେ ମଶା ଉପଦ୍ରବ ମଧ୍ୟ ବୃଦ୍ଧି ହୋଇଛି। ଶୀଘ୍ର ଉକ୍ତ ଅଞ୍ଚଳକୁ ପଞ୍ଚାୟତ ପକ୍ଷରୁ ସଫେଇ କରାଯିବାକୁ ଦାବି ହୋଇଛି । ଏ ନେଇ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରୀକା ମଲ୍ଲିକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଦାରିଙ୍ଗବାଡ଼ିଠାରୁ ବ୍ରାହ୍ମଣୀଗାଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ତେଣୁ ସେହି ଅଞ୍ଚଳରେ ମଧ୍ୟ ସଂପ୍ରସାରଣ କାର୍ଯ୍ୟ କରାଯିବାକୁ ରହିଥିବାରୁ ତାକୁ ସଫେଇ କରାଯାଇ ନାହିଁ ଯଦି ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ କରାଯିବାରେ ବିଳମ୍ବ ହେଉଛି ତାହା ହେଲେ ଶୀଘ୍ର ତାକୁ ଆମେ ସଫେଇ କରିଦେବୁ ବୋଲି ସେ କହିଛନ୍ତି । ବର୍ଷା ପୂର୍ବରୁ ଦାରିଙ୍ଗବାଡ଼ିର ସମସ୍ତ ଅଞ୍ଚଳକୁ ପଞ୍ଚାୟତ ପକ୍ଷରୁ ସଫେଇ କରିବାକୁ ଯୋଜନା କରୁଥିବା ସେ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ