ଦାରୁପ୍ରାପ୍ତି ସ୍ଥାନ ଦଧିମାଛଗାଡିଆରେ ବିଶ୍ୱଶାନ୍ତି ମହାଯଜ୍ଞ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଗନ୍ନାଥ ଚେତନାର ଅଭିବୃଦ୍ଧି ନିମନ୍ତେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ସମିତି ପକ୍ଷରୁ ଦଧିମାଛଗାଡିଆରେ ଶ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ପଂଚବିଂଶତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ଶୁଭାଧିବାସ, ମଙ୍ଗଳବାର କଳସଯାତ୍ରା, ଘଟ ସ୍ଥାପନ, ଧ୍ୱଜ ଉତୋଳନ, ସୂର୍ଯ୍ୟପୂଜା, ଶ୍ରୀ ଶ୍ରୀ ଜଗନ୍ନାଥ ଦେବଙ୍କ ଷୋଡଶ ଉପଚାର ପୂଜା, ମାଲ୍ୟାର୍ପଣ ଓ ମଙ୍ଗଳ ଆଳତୀ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବାବାଜୀ ପରମେଶ୍ୱର ଦାସଜୀ ମହାରାଜ, ମହନ୍ତ ଶ୍ରୀ ସନ୍ଥ ଦାସଜୀ ମହାରାଜ (ବୁଲୁ ବାବା), ବାବାଜୀ ଲାଲ ବାବା, ବାବାଜୀ ଚୈତନ୍ୟ ଦାସ ଶ୍ରୀରାମଚରିତ ମାନସ ପାରାୟଣପାଠ କରିଥିଲେ । ପଣ୍ଡିତ ମହାଦେବ ରଥ ଓ ସାଥୀବୃନ୍ଦ ଯଜ୍ଞ ପରିଚାଳନା କରିଥିଲା ବେଳେ ନୟାଗଡ ଜିଲ୍ଲା ଗୌରଚନ୍ଦ୍ରପୁର ଗ୍ରାମର ଗାୟକ ଗୁଣନିଧି ସାମନ୍ତ ସିଂହାରଙ୍କ ଦଳ ସଂକୀର୍ତନ ପରିବେଷଣ କରିଥିଲେ । ପ୍ରବକ୍ତା ପୂଜ୍ୟବାବା ସନ୍ଥ ପ୍ରେମାନନ୍ଦ ଦାସଜୀ ମହାରାଜ, ଡା. ଆଶୁତୋଷ ମିଶ୍ର (ଖୋର୍ଦ୍ଧା) ପ୍ରବଚନ ଦେଇଥିଲେ । ଶ୍ରୀ ଶ୍ରୀ ସୋମନାଥ ଦେବ ନାଟ୍ୟ ସଂସଦ ଅନୁଷ୍ଠାନ (ଦେଉଳଟାଙ୍ଗୀ ଖୋର୍ଦ୍ଧା)ର କଳାକାରଙ୍କ ଦ୍ୱାରା ଶ୍ରୀରାମଲୀଳା ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ସମିତି ପକ୍ଷରୁ ପ୍ରସାଦ ବଂଟନ କରାଯାଇଥିଲା । ସମାଜସେବୀ ଶ୍ରୀଜଗନ୍ନାଥଙ୍କ ଦାରୁ ରକ୍ଷକ ତଥା ଦଧିମାଛଗାଡିଆ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ପଟ୍ଟନାୟକ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ