ଦାୟିତ୍ୱ ଗ୍ରହଣ କଲେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ବ୍ଲକର ନବ ନିର୍ବାଚିତ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର ବୁଧବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଭିନ୍ନ ପଞ୍ଚାୟତର ଉନ୍ନତି ପାଇଁ ବ୍ଲକ ଅଧ୍ୟକ୍ଷଙ୍କ ସହ ମିଶି କାମ କରିବି । ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ ବଢି ଚାଲିଛି । ତେଣୁ ଯେଉଁ ପଞ୍ଚାୟତରେ ପାନୀୟ ଜଳର ଅଭାବ ଥିବ ସେହି ପଞ୍ଚାୟତଗୁଡିକରେ ତୁରନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ସେହିପରି ପଞ୍ଚାୟତଗୁଡିକରେ ଥିବା ରାସ୍ତା ସମସ୍ୟା, ଷ୍ଟ୍ରୀଟ୍ ଲାଇଟ୍ ସମସ୍ୟା, ଡ୍ରେନ୍ ସମସ୍ୟାର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଏଥିସହ ପଞ୍ଚାୟତଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବ । ଶ୍ରୀ ମହାପାତ୍ରଙ୍କୁ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, କୁତରଙ୍ଗ ପଞ୍ଚାୟତର ଯୁବନେତା ନରୋତ୍ତମ ମଲ୍ଲିକ, ଜିଲ୍ଲା ଏସ୍ସି ସେଲ ସମ୍ପାଦକ ମାନସ ସେଠୀ ଓ ବିଡିଓ ବନ୍ଦନା ଖଟୁଆ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।