ଦିଗପହଣ୍ଡିରୁ  ଜବତ ହେଲା ଦୁଇଟି  ବୋମା ପୁଅ ପରେ ବାପା ଗିରଫ 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ପୁଲିସ ସ୍ଥାନୀୟ ଅଞ୍ଚଳ କଲୋନୀ କେନାଲ ସାହିର ଭଡ଼ାରେ ରହୁଥିବା ରାଜେନ୍ଦ୍ର ସେଠୀଙ୍କ ଘରେ ଶୁକ୍ରବାର ପୂର୍ବାହ୍ନରେ ଅତର୍କିତ ଚଢ଼ାଉ କରିଥିଲେ।  ପୁଲିସ ତାଙ୍କ ନିକଟରୁ ଦୁଇଟି ଜୀବନ୍ତ ବୋମା ଓ ପ୍ଲାଷ୍ଟିକ ଡ୍ରମ୍ ଜବତ କରିବା ସହ ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତଙ୍କ ଘର ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ହୋଇଥିବା ବେଳେ ସେ ଏଠାରେ ଏକ ଭଡ଼ା ଘରେ ରହି ଆସୁଥିଲେ । ପୂର୍ବରୁ ଅଭିଯୁକ୍ତ ରାଜେନ୍ଦ୍ର ର ପୁଅ ବଳିଆ ଓରଫ ଅଜିତ ସେଠୀ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ  ଏବଂ ମୌଳାଭଞ୍ଜା ଗ୍ରାମ ରେ ବୋମାମାଡ଼ ଘଟଣାରେ ଗିରଫ ହୋଇ ଜେଲ ରେ ବିଚାରାଧୀନ ବନ୍ଦୀ ଭାବେ ରହିଛି। ଗତ କିଛିଦିନ ହେଲା ଦିଗପହଣ୍ଡି ଅଞ୍ଚଳରେ ଦୁଇଗୋଷ୍ଠୀ ନିଜର ସାମ୍ରାଜ୍ୟ ବିସ୍ତାର ପାଇଁ ଉଦ୍ୟମ ଚଳାଇଛନ୍ତି। ଗତ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ କୁଶପଡା ଗ୍ରାମର ଗାଡ଼ି ଚାଳକ ଶତୃଘ୍ନ ବିଷୋୟୀ କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବସଷ୍ଟାଣ୍ଡ ନିକଟରେ ଅଭିଯୁକ୍ତ ରାଜେନ୍ଦ୍ରଙ୍କ ପୁଅ ବଳିଆ ସମେତ ତାର ଅନ୍ଯ ସହଯୋଗୀ ମାନେ  ବୋମାମାଡ କରିଥିଲେ । ସେହିପରି  ଅକ୍ଟୋବର ୨୮ ତାରିଖ ବିଳମ୍ବିତ ରାତି ରେ ମୌଳାଭଞ୍ଜା ଗ୍ରାମର ଗାଡ଼ି ଚାଳକ ଧନୁ ଗୌଡ଼ ଙ୍କ ଘର ସମ୍ମୁଖରେ ବୋମାମାଡ଼ କରାଯିବା ସହ ସେ ଚଳାଉଥିବା କାର କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ।  ୩୧ ତାରିଖ ବିଳମ୍ବିତ ରାତିରେ ଅପର ଗୋଷ୍ଠୀ ପକ୍ଷରୁ ରାଜେନ୍ଦ୍ର ର ଭଡା ଘର ଉପରକୁ ବୋମାମାଡ କରାଯାଇଥିଲା । ପୁଲିସ ଘଟଣାର ଖୋଳତାଡ଼ କରୁଥିବା ବେଳେ ଶୁକ୍ରବାର ସକାଳ ପ୍ରାୟ ସାଢେ ୧୧ ଟା ସମୟରେ ଏସ ଆଇ ଜ୍ୟୋତି ରଞ୍ଜନ ବେହେରା ବିଶେଷ ସୁତ୍ରରୁ ଖବରପାଇ ରାଜେନ୍ଦ୍ର କୁ ସ୍ଥାନୀୟ ତହସିଲ ରାସ୍ତା ରୁ ଉଠାଇ ନେଇ ତାର ଭଡା ଘରେ ଚଢ଼ାଉ କରିଥିଲେ । ଘର ଭିତରେ ଯାଞ୍ଚ କରାଯାଇଥିଲେ ମଧ୍ୟ ଘର ଭିତରୁ ସେଭଳି କିଛି ଜବତ ହୋଇପାରିନଥିଲା । ପୁଲିସ ତାଙ୍କୁ  ଅଧିକ ପଚରାଉଚୁରା କରିବା ପରେ ରାଜେନ୍ଦ୍ର ର ସୂଚନା ପ୍ରକାରେ ତାର ଘର ଠାରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ଚାଷଜମି ର ବୁଦା ମୂଳରୁ ପୁଲିସ ଦୁଇଟି ଜୀବନ୍ଜୀବନ୍ତ ହାତ ବୋମା ଜବତ କରିଥିଲା ‌। ଏନେଇ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କ ଏତଲା କ୍ରମେ ଥାନା କେସ ନଂ.୪୬୨/୨୪ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମକଦ୍ଦମା ରୁଜୁ କରିଥିଲେ। ଉକ୍ତ ବୋମା କୁ ରାଜେନ୍ଦ୍ର ର ପୁଅ ଅଜିତ ପ୍ରତିପକ୍ଷ ଗୋଷ୍ଠୀର ଯୁବକଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଘରେ ରଖିଥିଲା। ପରବର୍ତ୍ତୀ ଅବସ୍ଥାରେ ଘର ମାଲିକ ତାଙ୍କୁ ଘରୁ ଉଠାଇଦେବା ପରେ ରାଜେନ୍ଦ୍ର ଉକ୍ତ ଦୁଇଟି ବୋମା କୁ ଘର ନିକଟ ବୁଦା ମୂଳରେ ପ୍ଲାଷ୍ଟିକ ଡ୍ରମ ଭିତରେ ଲୁଚାଇ ରଖିଥିଲା ବୋଲି ପୁଲିସ ନିକଟରେ ସ୍ବୀକାର କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର କହିଛନ୍ତି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ