ଦିଗପହଣ୍ଡିରେ ଅଙ୍ଗନବାଡି କର୍ମୀଙ୍କ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାର୍କରସ ଆସୋସିଏସନ ଦିଗପହଣ୍ଡି ଶାଖା ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ( ଆଇସିଡିଏସ )କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ରାଜ୍ୟ ସଂଘର ଆହ୍ବାନ କ୍ରମେ ୮ ଦଫା ଦାବୀ ନେଇ ଅଙ୍ଗନବାଡି କର୍ମୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରି କାର୍ଯ୍ଯାଳୟ ନିକଟରେ ପହଞ୍ଚିବା ପରେ ଦୀର୍ଘ ସମୟ ଧରି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।ବ୍ଲକ ସଭାନେତ୍ରୀ ବନିତା ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ସଂଘର ଦାବୀ ଗୁଡିକୁ ଅବିଳମ୍ବେ ପୂରଣ ନକଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ।ସେହିଭଳି ବ୍ଲକ ସମ୍ପାଦିକା ସୁଲୋଚନା ରଥ, ସହସମ୍ପାଦିକା ସୁଲତା ପଟ୍ଟନାୟକ, ଜିଲ୍ଲା ପ୍ରତିନିଧି ମୀନତି ପଟ୍ଟନାୟକ ଏବଂ ସୁମିତ୍ରା କୁମାରୀ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦାବୀ ହାସଲ ଯାଏ ଐକ୍ଯବଦ୍ଧ ସଂଗ୍ରାମ ଜାରି ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ।ଶତାଧିକ ଅଙ୍ଗନବାଡି କର୍ମୀ ଏହି ଆନ୍ଦୋଳନରେ ସାମିଲ ଥିବା ବେଳେ ପ୍ରଭାସିନୀ ଦେବୀ, ରେଣୁ ପ୍ରଧାନ, କୁନି ପଣ୍ଡା, ସୁନିତା ପଣ୍ଡା, ପୂର୍ଣ୍ଣିମା ଦେବୀ, କାମାକ୍ଷୀ ସେଠୀ ଏବଂ କୁନି ପାଢ଼ୀ ପ୍ରମୁଖ ବିକ୍ଷୋଭ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।