ଦିଗପହଣ୍ଡିରେ ଭାରତବନ୍ଦ କୁ ସଫଳ ପାଇଁ ପଥପ୍ରାନ୍ତ ସଭା
ଦିଗପହଣ୍ଡି,(ୱାଇଏନ୍ଏସ୍): ନିଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ର ଡାକରା କ୍ରମେ ମଙ୍ଗଳବାର ଭାରତ ବନ୍ଦ( ଜନତା କର୍ଫ୍ୟୁ )କୁ ସଫଳ କରିବାପାଇଁ ସୋମବାର ସନ୍ଧ୍ୟାରେ ଦିଗପହଣ୍ଡି ପୁଞ୍ଜିକଁୟା ଚାରିଛକ , ବସଷ୍ଟାଣ୍ଡ ସମେତ ବଜାର ଛକ ଠାରେ ସ୍ଥାନୀୟ କଂଗ୍ରେସ – କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ସିପିଆଇ(ଏମ୍) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ,ଅଶ୍ୱିନୀ କୁମାର ଦାସ, ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ର, ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା, ଏମ୍.ତ୍ରିନାଥ ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ସଭାରେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ଙ୍କ ନୂତନ କୃଷକ – କୃଷି ସର୍ବନାଶକାରୀ ଚାଷୀ ବିରୋଧୀ ୩ ଟି କୃଷି ଆଇନ – ୨୦୨୦ ସମେତ ଜନବିରୋଧୀ ନୂତନ ବିଦ୍ୟୁତ୍ ବିଲ୍ – ୨୦୨୦ ଆଇନ କୁ ରଦ୍ଦ କରିବା ସହ ଏମ୍ . ଏସ୍ ସ୍ଵାମୀନାଥନ କମିଶନ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବା। ଦେଶବ୍ୟାପୀ କୃଷକ ନେତା ମାନଙ୍କ ଉପରୁ ମିଥ୍ୟାମକଦ୍ଦମା ପ୍ରତ୍ୟାହାର କରାଯିବା ଦାବୀ ସମେତ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ କୁ ଦମନ କରିବା ପାଇଁ କେନ୍ଦ୍ର ସରକାର ଙ୍କ ଉଦ୍ୟମ ବିରୋଧରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ ବୋଲି ସଭାରେ ଦଳୀୟ ନେତୃବୃନ୍ଦ ଘୋଷଣା କରିଥିଲେ।