ଦିଗପହଣ୍ଡିରେ ହାତୀ ଆତଙ୍କ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହାତୀ ଆତଙ୍କ ଦେଖାଦେଇଛି । ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାଅନୁସାରେ ନିମପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ଥିବା ସୁରେଶ ପଶୁପାଳକଙ୍କ ଖଳାରେ ଅମଳ ଧାନକୁ ଜଗିବା ପାଇଁ ଗତକାଲି ରାତିରେ ଚାଷୀ ଆଲୁ ଲାଚ୍ଛେୟା ଏବଂ କେ. ଅରକ୍ଷିତ ପାତ୍ର ଶୋଇଥିଲେ । ରାତି ପ୍ରାୟ ୩ଟା ବେଳେ ଏକ ଶବ୍ଦ ଶୁଣି ଉଭୟେ ନିଦରୁ ଉଠିଥିଲେ। ସେମାନେ ଭାବିଥିଲେ ଯେ, ଖଳା ଭିତରକୁ ଷଣ୍ଢ ଆସି ଧାନ ଖାଉଥିବ। ଏଣୁ ଲାଚ୍ଛେୟା ଏବଂ ଅରକ୍ଷିତ ଟର୍ଚ୍ଚ ଲାଇଟ ଓ ବାଡ଼ି ଧରି ଉଭୟେ ଘଉଡ଼ାଇବାକୁ ଯାଇଥିଲେ। କିନ୍ତୁ ସେଠାରେ କୌଣସି ଷଣ୍ଢକୁ ଦେଖିବାକୁ ପାଇ ନଥିଲେ । କିନ୍ତୁ ଲାଚ୍ଛେୟା ଏକ ହାତୀ ଆଗରେ ପଡ଼ି ଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଏହା ଦେଖି ଅରକ୍ଷିତ ସେଠାରୁ ଦୌଡ଼ି ପଳାଇ ଆସି ଲାଚ୍ଛେୟାଙ୍କ ଘରେ କହିଥିଲେ । ପରିବାର ଲୋକ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୁଲିସ୍ ଲାଚ୍ଛେୟାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।


