ଦିଗପହଣ୍ଡିର ଠାକୁରାଣୀ ଯାତ୍ରା ଉଦଯାପିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହରର ମା ‘ ବୁଢ଼ୀ ଠାକୁରାଣୀ ଙ୍କ ଶାରଦୀୟ ବାର୍ଷିକ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତି ରେ ଉଦଯାପିତ ହୋଇଯାଇଛି।ମା ‘ ବୁଢ଼ୀ ଠାକୁରାଣୀ ଙ୍କୁ ଅସ୍ଥାୟୀ ଯାତ୍ରା ପୀଠ ପୂଜା ବିଧି କରାଯାଇଥିଲା।ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ଦେବୀ ଙ୍କୁ ମାଜଣା ପରେ ନୂତନ ବସ୍ତ୍ର ପରିଧାନ କରାଯାଇ ପୂଜାର୍ଚ୍ଚନା କରାଯିବା ପରେ ନିଶାର୍ଦ୍ଧରେ ଯୋଗିନୀ ପୂଜା କ୍ରମରେ ମା ‘ ଙ୍କୁ ବାହୁଡ଼ା ଯାତ୍ରା ନିମନ୍ତେ ଆବାହନ କରାଯାଇଥିଲା। ହୋମଯଜ୍ଞ କରାଯିବା ପରେ ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ,ସେବାୟତ(ଜାନି)ଆଦିତ୍ୟ ପାତ୍ର,ଲିଙ୍ଗରାଜ ପାତ୍ର,ଶମ୍ଭୁନାଥ ପାତ୍ର,ସୋମନାଥ ପାତ୍ର,ପ୍ରଫୁଲ୍ଲ ପାତ୍ର,ତାରିଣୀ ପାତ୍ର ପ୍ରମୁଖ ଅସ୍ଥାୟୀ ଯାତ୍ରା ପୀଠ ରେ ଉପସ୍ଥିତ ରହି ମା ‘ ଙ୍କୁ ପାରମ୍ପରିକ ରୀତି ନୀତି ଅନୁଯାୟୀ ଦୀର୍ଘ ସମୟ ସେବା ପୂଜା କରିବା ପରେ ମୁଖ୍ୟଘଟ ରୁ ଆଜ୍ଞା ମାଳ ଖସିଥିଲା।ପରେ ମୁଖ୍ୟଘଟ ରେ ମା ‘ ଙ୍କୁ ପ୍ରସନ୍ନ କରାଯାଇ ମୂଳ ମନ୍ଦିର ପୀଠ କୁ ଯିବା ଲାଗି ଘଟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ମୁଖ୍ୟଘଟ କୁ ସମ୍ମୁଖ ଭାଗରେ ରଖାଯିବା ପରେ ଆତସବାଜି ରୋଷଣୀ , ନୃତ୍ୟ ଗୀତ ବାଦ୍ୟ ବାଜଣା ର ତାଳେ ତାଳେ ମା ‘ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ଯାତ୍ରା ପୀଠ ରୁ ବାହାରି ବିରାଟ ପଟୁଆର ରେ ମୂଳ ସ୍ଥାୟୀ ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ସେବାୟତ ଜାନି ସମ୍ପ୍ରଦାୟ ପକ୍ଷରୁ ପୁଣି ପୂଜାର୍ଚ୍ଚନା କରାଯାଇଥିଲା।ପରେ ମା ‘ ଘଟ ତ୍ୟାଗ କରି ସ୍ଵ ପୀଠ କୁ ଗମନ କରିଥିଲେ। ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମା ‘ ଙ୍କ ବାହୁଡ଼ା ଯାତ୍ରା ରେ ସାମିଲ ହୋଇ ମା ‘ ଙ୍କୁ ମେଲାଣି ଦେଇଥିଲେ। ଯାତ୍ରା ର ଶେଷ ଦିବସ ରେ ପୁରୁଷୋତ୍ତମ ପୁର ବ୍ଲକ ଅଢେଇ ବରଗାଁ ର ‘ସତୀ ଲୁହରେ ଜଳୁଛି ଲଙ୍କା’ ଏବଂ ହିଞ୍ଜିଳି ବ୍ଲକ ର ସିକିରି ଗ୍ରାମର ପୌରାଣିକ ‘ ରାମାୟଣ ‘ ଥିଏଟର ଅନୁଷ୍ଠାନ ମଧ୍ୟରେ ବାଦି ନାଟକ ମଞ୍ଚସ୍ଥ ହୋଇଥିଲା।ଥିଏଟର ପରିବେଷଣ ରେ ସହର ଦୁଲୁକି ଉଠିଥିଲା।ସହର ତଥା ଆଖପାଖ ଗ୍ରାମାଞ୍ଚଳ ରୁ ଆସିଥିବା ବହୁ ସଂଖ୍ୟକ ଦର୍ଶକ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଯାତ୍ରା କମିଟି ସଭା ସଭାପତି ବିକାଶ ପଶୁପାଳକ,କର୍ମକର୍ତ୍ତା ପ୍ରଭାକର ରେଡ୍ଡୀ,ନୀଳମାଧବ ଗୌଡ, ଦୀପକ କୁମାର ମିଶ୍ର, ଶିବ ଶଙ୍କର ଗୌଡ, ପ୍ରଦୀପ ପଣ୍ଡା, ଏ.ସୁଶାନ୍ତ, ଆଶିଷ କୁମାର ପଟ୍ଟନାୟକ, ଦୁର୍ଗା ପ୍ରସାଦ ମେକାପ ପ୍ରମୁଖ ସମସ୍ତ ଯାତ୍ରା ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।