ଦିଗପହଣ୍ଡି ଅଞ୍ଚଳରେ ବଜ୍ରପାତ ଜଣେ ମୃତ , ୪ ମହିଳା ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଅପରାହ୍ନରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି. ତୁରୁବୁଡ଼ିି ଏବଂ ଗଡଗୋବିନ୍ଦପୁର ପଞ୍ଚାୟତ ଇଲାକାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଭାଲୁ ମହାଙ୍କୁଡ (୫୧) ବି . ତୁରୁବୁଡି ପଞ୍ଚାୟତ ଗାଇଗୁହାଳ ଛକ ଏରାବନ୍ଧ ପାହାଡ଼ ନିକଟକୁ ନିଜ ଛେଳି ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ୨ ଟା ସମୟରେ ବଜ୍ରପାତ ସହ ବର୍ଷା ହୋଇଥିଲା । ବଜ୍ରପାତ ରେ ଛେଳି ଚରାଳି ଜଣକ ସେଠାରେ ଟଳି ପଡ଼ିଥିଲେ । ଖବରପାଇ ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଘଟଣାପରେ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ସଦସ୍ୟ ମାନଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି । ସେହିପରି ଗଡଗୋବିନ୍ଦପୁର ଗ୍ରାମରେ କିଛି ମହିଳା ଚାଷ ଜମିରେ ଧାନ ତଳି ରୁଆ କାର୍ଯ୍ୟ କରୁଥିବା ସମୟରେ ଅପରାହ୍ନ ପ୍ରାୟ ସାଢ଼େ ୩ ଟା ରେ ବଜ୍ରପାତ ପ୍ରଭାବରେ ସେଠାରେ ଅଚେତ ଅବସ୍ଥାରେ ପଡି ଯାଇଥିଲେ । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ନିଜ କାରରେ ଗୁରୁତର ମହିଳା ମାନଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ତେବେ ସଞ୍ଜୁ ସାହୁ ଓ ଉଷା ସାହୁ ନାମ୍ନୀ ଦୁଇ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜୟନ୍ତୀ ସାହୁ ଏବଂ ବର୍ଷା କୁମାରୀ ସାହୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।