ଦିଗପହଣ୍ଡି ପୈାର ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଇଛୁକ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶୁକ୍ରବାର ତୃତୀୟ ଦିନରେ ୩ ନଗରପାଳ ପାର୍ଥୀ ସହ ୬ କାଉନସିଲର ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ପଞ୍ଚାୟତ ନିର୍ବାଚନ ଶେଷ ହେବାପରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ବିଭିନ୍ନ ପୈାରାଞ୍ଚଳ ମାନଙ୍କରେ ପ୍ରାର୍ଥୀପତ୍ର ଦାଖଲ ସକାଶେ ମାର୍ଚ୍ଚ ୨ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସମୟ ସିମା ରହିଥିବା ବେଳେ ଆଜି ଦାଖଲର ତୃତୀୟ ଦିନରେ ଦିଗପହଣ୍ଡି ଏନ୍ ଏସି ର ନଗରପାଳ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପଣ୍ଡା , ବିଜୁ ଜନତାଦଳରୁ ଭି. ରବିନାରାୟଣ ରାଜୁ , ଭାରତୀୟ ଜନତା ପାର୍ଟି ପକ୍ଷରୁ ପରେଶ ଚନ୍ଦ୍ର ରଥ ଆଜି ନିଜ ସମର୍ଥକଙ୍କ ସହ ଆସି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ବିଜେଡି ପକ୍ଷରୁ ୱାର୍ଡ ନଂ ୧ ପାଇଁ ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ , ୪ ନଂ ୱାର୍ଡରୁ ଗୈାରାଙ୍ଗ ଚରଣ ବେହେରା , ୫ ନଂ ୱାର୍ଡରୁ ରଶ୍ମିତା ବେହେରା , ୮ ନଂ ୱାର୍ଡରୁ ଏମ୍ . ଉଷାରାଣୀ , ୯ ନଂ ୱାର୍ଡରୁ ନୀଳମାଧବ ଗୈାଡ , ୧୧ ନଂ ୱାର୍ଡରୁ ଜ୍ୟୋତ୍ସ୍ନା ଜେନା ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦିଗପହଣ୍ଡି ଏନ୍ ଏସି ନିର୍ବାଚନ ଅଧିକାରୀ ସିପକ କୁମାର ପାତ୍ରଙ୍କ ଠାରୁ ସୂଚନା ମିଳିପାରିଛି ।


