ଦିଗପହଣ୍ଡି ପ୍ରେସକ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଦିଗପହଣ୍ଡି,(ୱାଇଏନ୍ଏସ୍): ଗଣମାଧ୍ୟମ ସମାଜର ମାର୍ଗଦର୍ଶକ।ଗଣଚେତନାର ନିୟାମକ।ତେଣୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ଅଭିହିତ କରାଯାଇଛି।ଏହି ପ୍ରହରୀ ଯଦି ଦେଶ ପ୍ରତି ଉତ୍ସର୍ଗୀକୃତ ନହୁଏ ତେବେ ଦେଶ ଓ ସମାଜ କେବେବି ସୁରକ୍ଷିତ ରହିପାରିବନାହିଁ। ଖବରଦାତା ମାନେ ବିଭିନ୍ନ ପ୍ରତିକୁଳ ପରିସ୍ଥିତିରେ ରହି ମଧ୍ୟ ସମାଜର ହିତ ପାଇଁ କାର୍ଯ୍ୟ କରୁଛନ୍ତି।ସେମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ପ୍ରତି ସରକାର ଧ୍ୟାନଦେବା ଉଚିତ ବୋଲି ମତ ପ୍ରକାଶ ପାଇବା ସହ ସେମାନଙ୍କ ଅସୀମ ଧର୍ଯ୍ୟ ଓ ସାହସକୁ ତାରିଫ କରାଯାଇଛି।ସାମ୍ବାଦିକତା ଏକ ବୃତ୍ତି ନୁହେଁ ବ୍ରତ ବୋଲି ସୋମବାର ଦିଗପହଣ୍ଡି ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ।ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ସଭାଗୃହ ଠାରେ ଆୟୋଜିତ ଆଲୋଚନା ସଭାରେ ପ୍ରେସକ୍ଳବ ସଭାପତି ଅଶେଷ ନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଆମନ୍ତ୍ରିତ ଅତିଥି ଭାବେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ, ଛେଳିଗଡ କେନାଲ ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ.ବିଭୁଦତ୍ତ ପଣ୍ଡା,ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଓ ଘୋଡାହଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ଉପ-ନିର୍ବହୀଯନ୍ତ୍ରୀ ଇଂ. ଏ. ଗୋପାଳ ରାଓ ପ୍ରମୁଖ ଯୋଗଦେଇଥିଲେ।
ସଭାକାର୍ଯ୍ୟ ଆରମ୍ଭ ପୁର୍ବରୁ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା।ପରେ ସଭା ମଞ୍ଚରେ ପ୍ରେସ କ୍ଳବ୍ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ସଂଘର ବରିଷ୍ଠ ସଦସ୍ୟ ହରପ୍ରସାଦ ରଥ ଙ୍କ ସ୍ୱାଗତ ଅଭିଭାଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସଭାରେ ବରିଷ୍ଠ ଖବର ଦାତା ନୀଳମାଧବ ପରମଗୁରୁ, ହରପ୍ରସାଦ ରଥ ଙ୍କୁ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖବରଦାତା ଶିବପ୍ରସାଦ ରଥ,ବିଜୟ କୁମାର ପ୍ରଧାନ,ସଞ୍ଜୀବ କୁମାର ପାତ୍ର,କିରଣ କୁମାର ବେହେରା,ଦିଗାମ୍ବର ମହାରଣା,ସମୀର କୁମାର ତ୍ରିପାଠୀ, ଗଦାଧର ଶୁକ୍ଳ, ଶଙ୍କର୍ଷଣ ରଥ, ନୃସିହ ବେହେରା,ଭବାନୀ ଶଙ୍କର ପଣ୍ଡା,ସୁଦାମ ଶେଖର ରେଡି, ସୁରେନ କୁମାର ଗୌଡ ପ୍ରମୁଖ ସଭାରେ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଶେଷରେ ପ୍ରେସକ୍ଳବ ସମ୍ପାଦକ ଗୋପାଳ କୃଷ୍ଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ |