ଦିଗପହଣ୍ଡି : ବିଜେଡି ମହଲରେ ଖୁସିର ଲହରୀ
ଦିଗପହଣ୍ଡ : ଦିଗପହଣ୍ଡି ବ୍ଳକ ଓ ଏନଏସି ବିଜେଡି କର୍ମୀ ଓ ନେତୃବୃନ୍ଦଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଟିକଟ ମିଳିଥିବାରୁ ଦଳ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ଅଧକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡି ନେତୃବୃନ୍ଦ ମାନେ ପରସ୍ପରକୁ କୋଳାଗ୍ରତ କରି ମିଷ୍ଠାନ୍ନ ଖୁଆଇ ବଧେଇ ଜଣାଇବା ସହିତ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିବା ଜଣାପଡିଛି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପଞ୍ଚମ ଥର ପୁଣି ବିଜେଡି ସୁପ୍ରିମୋ ସୁପାରିଶ କରିବା ପରେ କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ପୂର୍ବରୁ ମୋହନା ନିର୍ବାଚନ ମଣ୍ଡଳୀରେ ଦିଗପହଣ୍ଡି ସାମିଲ ଥିବା ବେଳେ ସେତେବେଳେ ଜନତା ଦଳରୁ ଦୁଇଥର ସୂର୍ଯ୍ୟ ପାତ୍ର ବିଧାୟକ ଭାବେ ବିଜୟଲାଭ କରି ମନ୍ତ୍ରୀପଦ ପାଇଥିଲେ । ପରେ ବିଜୁ ଜନତା ଦଳ ଗଠନ ହେବା ପରେ ମୋହନା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବେ ଜିଣି ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇଥିଲେ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନୂତନ ଭାବେ ବିଭାଜିତ ହୋଇ ଗଠନ ହେବା ପରେ ୨୦୦୯ ମସିହାରୁ ସୂର୍ଯ୍ୟ ପାତ୍ର ବିଧାୟକ ଭାବେ ବିଜୟ ଲାଭ କରିଥିବା ବେଳେ ସମ୍ପ୍ରତ୍ତି ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ସୂର୍ଯ୍ୟଙ୍କୁ ସବୁଜ ସଙ୍କେତ ମିଳିବା ପରେ ତାଲିକା ଘୋଷଣା ହୋଇଥିବା ଜଣାପଡିଛି । ଏହାକୁ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନିତୀ ସରଗରମ ହୋଇ ଉଠିଥିବା ବେଳେ ବିଜେଡି ମହଲରେ ପୁନଶ୍ଚ ବିଜୟ ଲାଭ ନେଇ ଖୁସି ଖେଳିଯାଇଥିବା ଦେଖିବାକୁ ମିଳିଛି । ଆନନ୍ଦ ଉତ୍ସବ ପାଳନ ସମୟରେ ବ୍ଳକ ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ଉପାଧକ୍ଷ ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡି, ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡ୍ଡି, ସାଂସଦ ପ୍ରତିନିଧି ପ୍ରମୋଦ ପାଣିଗ୍ରାହୀ, ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ୱାଇଁ, ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ, ରବି ଗୌଡ, ସଞ୍ଜୀବ ରେଡ୍ଡି ପ୍ରମୁଖଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ସେହିପରି ଗତ ୧୯ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ ଜନକ ହିତକର ଯୋଜନା ଏବଂ ଭବିଷ୍ୟତ ଯୋଜନାକୁ ନେଇ ପୁନଶ୍ଚ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟ ଲାଭ କରିବ ବୋଲି ନିଜ ପ୍ରତିକ୍ରିୟାରେ ସୂର୍ଯ୍ୟନାରାୟଣ ପାତ୍ର ଜଣାଇଛନ୍ତି ।


