ଦିଗପହଣ୍ଡି ରେ  ଗୁଣ୍ଡିଚା ଯାତ୍ରା ସୋମବାର ହେଲା ରଥ ଟଣା   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ସୋମବାର ଅପରାହ୍ନରେ ଦିଗପହଣ୍ଡି ବଡ଼ଦାଣ୍ଡରେ ପହଞ୍ଚି ରଥ ଟାଣିଥିବା ଜଣାପଡିଛି । ପବିତ୍ର ଘୋଷଯାତ୍ରା ତଥା ଶ୍ରୀ ଗୁଣ୍ଡିଚା ଯାତ୍ରା  ରବିବାର  ଅନୁଷ୍ଠିତ ହୋଇଯାଇଥିବା ବେଳେ ଦିଗପହଣ୍ଡିରେ ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଯାତ୍ରାର ଦିନକ ପରେ ରଥ ଟଣା ଯାଇଥାଏ । ପରମ୍ପରା ଅନୁଯାୟୀ ରବିବାର ସକାଳୁ ମଙ୍ଗଳ ଆଳତି ଏବଂ ତିନି ଠାକୁରଙ୍କ ପୂଜା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବେଶ ପକାଇ ଭୋଗ ଲାଗି କରାଯାଇଥିଲା । ଏହାପରେ ଅପରାହ୍ନରେ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ପହଣ୍ଡି ବିଜେ କରାଯାଇ ଶ୍ରୀ ବିଗ୍ରହ ମାନଙ୍କୁ ରଥାରୂଢ଼ କରାଯାଇଥିଲା । ସୋମବାର ଅପରାହ୍ନ ରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରଥ ଟାଣିବା ପାଇଁ ଉତ୍ସାହ ଦେଖାଦେଇଥିଲା।ରଥଯାତ୍ରା ରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।  ବିଧାୟକ ରଥଯାତ୍ରା ରେ ପହଞ୍ଚି ରଥରେ ବସିଥିବା ତିନି ଠାକୁରଙ୍କ ଦର୍ଶନ କରି ଆର୍ଶୀବାଦ ଲାଭ କରିବା ସହ ଅଞ୍ଚଳବାସୀଙ୍କ ଦୀର୍ଘାୟୁ କାମନା କରିଥିଲେ । ଶେଷରେ ସେ ରଥ ଦଉଡ଼ି ଧରି ରଥ ଟାଣିଥିଲେ । ପରେ ଶ୍ରଦ୍ଧାଳୁ ଙ୍କ ଭିଡ ଭିତରେ ବଡ଼ଦାଣ୍ଡ ରେ ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଙ୍କ ରଥ ଓ ସାନଦାଣ୍ଡ ରେ ଦଧିବାମନ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିର ଅଣାଯାଇଥିଲା । ରବିବାର ଅପରାହ୍ନରେ ଦିଗପହଣ୍ଡିର ଶ୍ରୀ ପତିତ ପାବନ ଜଗନ୍ନାଥ ଓ ଅଞ୍ଚଳ କଲୋନୀରେ ମଧ୍ୟ ନୀତି କାନ୍ତି ପୂଜାର୍ଚ୍ଚନା ପରେ ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ରଥ ଟଣା କାର୍ଯ୍ୟ ସରିଥିଲା । ସେହିପରି ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି , ସିଦ୍ଧେଶ୍ୱର , ବମକେଇ , ବାସୁଦେବପୁର , ଗୋକର୍ଣ୍ଣପୁର , ଫାସିଗୁଡ଼ା , ପଦ୍ମନାଭପୁର , ଭ୍ରମରପୁର , ଜକମେରୀପଲ୍ଲୀ ପ୍ରଭୃତି ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ରଥଯାତ୍ରା ଅନୁଷ୍ଠିତ ହେବା ସହ ରଥଟଣା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ