ଦିଗପହଣ୍ଡି ରେ ମରୁଡି ଆଶଙ୍କା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡିି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି  କାର୍ଯ୍ୟାଳୟ ସଭା ଗୃହରେ  ବୁଧବାର ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଏକ ପରିବର୍ଦ୍ଧିତ ଆଲୋଚନା ସଭା  ଅନୁଷ୍ଠିତ ହୋଇଯାଇଛି । ଆବଶ୍ୟକ ବର୍ଷା ଅଭାବରୁ ଦିଗପହଣ୍ଡି ଅଞ୍ଚଳରେ ଚଳିତ ବର୍ଷ ମରୁଡି ଆଶଙ୍କା କୁ ନେଇ ସଭାରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା। ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ। ଆଲୋଚନା ସଭାରେ ଦିଗପହଣ୍ଡି ଘୋଡାହଡ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ଏ . ଗୋପାଳ ରାଓ , ସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ ମହାପାତ୍ର , ଇଂ. ନିରଞ୍ଜନ ସାହୁ , ଇଂ.କ୍ଷୀରୋଦ ବେହେରା , ଶୀର୍ଷ କମିଟି ସମ୍ପାଦକ କୀର୍ତ୍ତିଚନ୍ଦ୍ର ଗୌଡ ଓ କୋଷାଧକ୍ଷ ରାମନାଥ ବିଷୋୟୀ ଙ୍କ ସମେତ ୨୧ ଟି ପାଣି ପଞ୍ଚାୟତ କମିଟି ର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ଘୋଡାହାଡ଼ ଡ଼୍ୟାମ ର ଜଳଧାରଣ କ୍ଷମତା  ୧୧୭.୮୦ ମିଟର ରହିଥିବା ବେଳେ ଚଳିତ ବର୍ଷ ବର୍ଷା ଅଭାବ କାରଣରୁ ଡ଼୍ୟାମ ର ଜଳସ୍ତର କ୍ରମଶଃ ହ୍ରାସ ପାଇ ବୁଧବାର ଅପରାହ୍ନ ସୁଦ୍ଧା ୧୦୯ . ୩୫ ମିଟର ରେ ପହଞ୍ଚିଛି । ଯାହାକି ଏହି ଡ଼୍ୟାମର ଜଳରାଶି ଉପରେ ନିର୍ଭର କରି ଚାଷକାର୍ଯ୍ୟ କରୁଥିବା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ବହୁ ଚାଷ ଜମି  ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଛି।  ଡ୍ଯାମରୁ ଚଳିତ ବର୍ଷ ଖରିଫ ଧାନ ଚାଷ ନିମନ୍ତେ କେନାଲ ଯୋଗେ  ପାଣି ଛଡ଼ାଯିବା କାର୍ଯ୍ୟ ଚାଲୁ ରହିଛି । ଏଭଳି ସ୍ଥିତିରେ ଡ୍ଯାମରୁ ଆଉ  ୫ ଦିନ ପାଣି ଛଡାଯିବାକୁ ସଭାରେ  ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ମରୁଡି ହେବା ନେଇ ଘୋଡାହାଡ଼ ସେଚାଞ୍ଚଳର ସମସ୍ତ ପାଣି ପଞ୍ଚାୟତ କମିଟି ସଦସ୍ୟଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ  ପାଣି ସରିବା ପର୍ଯ୍ୟନ୍ତ ଡ଼୍ୟାମ ରୁ କେନାଲ ଯୋଗେ ଜଳଯୋଗାଣ କରାଯିବା ନିମନ୍ତେ ସଭାରେ   ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଛି।  ଏପରିକି ଘୋଡାହାଡ଼ ସେଚାଞ୍ଚଳ ଅଧିନରେ ଥିବା ସମସ୍ତ ଅଚଳ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକୁ  ଜରୁରୀକାଳୀନ ଭିତ୍ତିରେ ଜଳସମ୍ପଦ ବିଭାଗ ଦ୍ଵାରା ମରାମତି କରାଯାଇ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ସଭାରେ ପ୍ରସ୍ତାବ ଆଗତ କରାଯାଇଥିଲା । ସେହିପରି ଦିଗପହଣ୍ଡି ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ନିମନ୍ତେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ