ଦିଗହରା ଆବାସ ଯୋଜନା ୬ଫୁଟ ଘରେ ବିତୁଛି ଛଅ ପ୍ରାଣୀଙ୍କ ଜୀବନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ଦୀର୍ଘବର୍ଷ ହେବ ବିଭିନ୍ନ ପକ୍କାଘର ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା କେଉଁଠି ନା କେଉଁଠି ପ୍ରକୃତ ହିତାଧିକାରୀଟିଏ ଏଥିରୁ ବଞ୍ଚିତ ହୋଇଯାଉଛି । ବିଶେଷକରି ଗ୍ରାମାଞ୍ଚଳ ମାନଙ୍କରେ ଦାରିଦ୍ର ସୀମାରେଖା ତଳେ ଥିବା ଲୋକ ଓ କ୍ଷୁଦ୍ରନାମମାତ୍ର ଚାଷୀକୁ ପକ୍କାଘର ଯୋଗାଇଦେବା ପାଇଁ ବିଗତ ଦିନ ମାନଙ୍କରେ ଇନ୍ଦିରା ଆବାସ , ବିଜୁ ପକ୍କାଘର ଯୋଜନା ପ୍ରଣୟନ ହୋଇଥିଲା । ଯଦିଓ ପରବର୍ତ୍ତୀ ସମୟରେ ଯୋଜନା ରୂପରେଖ ବଦଳାଯାଇ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମରେ ନାମିତ କରାଯାଇଛି, କିନ୍ତୁ ଲକ୍ଷ୍ୟ ସମାନ ରହିଛି । ସେ ଯାହାବି ହେଉ ଏବାବଦରେ ସରକାର କୋଟିକୋଟି ଟଙ୍କା ବିନିଯୋଗ କରୁଥିଲେ ସୁଦ୍ଧା ତୃଣମୃଳ ସ୍ତରରେ ଏହାର ଶତପ୍ରତିଶତ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକର ସାନ୍ତନୂ ଜେନା ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସଂସାର କହିଲେ ସ୍ତ୍ରୀ, ତିନିଝିଅ ଓ ଗୋଟିଏ ପୁଅକୁ ନେଇ ମୋଟ ଛଅଜଣ ସଦସ୍ୟ ଅଟନ୍ତି । ଯଦିଓ ଶାନ୍ତନୁର ରୋଜଗାର ଉପରେ ପରିବାରର ପାଞ୍ଚପ୍ରାଣୀ ନିର୍ଭର କରୁଥିବାବେଳେ ଆଜକୁ ୨୦ବର୍ଷ ହେବ ସରସଦା ପଞ୍ଚାୟତ କାର୍ଯ୍ୟାଳୟର ଜଣେ ନାମମାତ୍ର ଅସ୍ଥାୟୀ କର୍ମଚାରୀ ଅଟନ୍ତି । ପଞ୍ଚାୟତର ସେ ଜଣେ ନାମମାତ୍ର କର୍ମଚାରୀ ହୋଇଥିବାରୁ ସକାଳୁ ଆସି କାର୍ଯ୍ୟାଳୟ ଖୋଲି ସଫାସୁତୁରା କରିବା, ସରପଞ୍ଚ ଓ ଅଧିକାରୀମାନଙ୍କୁ ଟେବୁଲରେ ପାଣି ରଖିବା କାର୍ଯ୍ୟ କରିଥାଆନ୍ତି । ଏହାପରେ ୧୦ଟା ପରେ ପଞ୍ଚାୟତ ଖୋଲିଲେ ସମସ୍ତଙ୍କ ଡାକକୁ ଅପେକ୍ଷା କରିଥାଆନ୍ତି ସାନ୍ତନୁ । ମାସ ପୁରିଲେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ଖୁସି ଅନୁଯାୟୀ କେତେବେଳେ ୫ଶହ ତ କେତେବେଳେ ତିନିଶହ ଦିଅନ୍ତି । ସେଥିରେ ଯେ ଛଅ ପ୍ରାଣୀ ସଂସାର ଚଳିବା କତେ ମୁସ୍କିଲ ଏଥିରୁ ସ୍ପଷ୍ଟ ଅନୁମେୟ । ଏହାରି ଭିତରେ କୋଡିଏ ବର୍ଷ ବିତିଯାଇଥିଲେ ସୁଦ୍ଧା ଶାନ୍ତନୁଙ୍କ ଗରୀବ ଚିତ୍ର କୌଣସି ସରପଞ୍ଚ କିମ୍ବା ସରକାରୀ ଅଧିକାରୀ କେହି ଦେଖିପାରୁନାହାଁନ୍ତି । କୁହାଯାଉଛି ପୂର୍ବେ ୨୫ହଜାର ଟଙ୍କାର ବାସଗୃହ ଯୋଜନା ଥିବାବେଳେ ପଞ୍ଚାୟତ ତରଫରୁ ଠିକାଦାର ଲଗାଯାଇ ଗରୀବ ଶାନ୍ତନୁର ବଖରାଏ ଘର ନିର୍ମାଣ କରାଯାଇଥିଲା । ଯାହାକି ଆଜିର ଦିନରେ ଝରକା, କବାଟ ଓ ପ୍ଲାଷ୍ଟର ବିହୀନ ଅବସ୍ଥାରେ ଦଣ୍ଡାୟମାନ ହୋଇଛି । ଏନେଇ କୌଣସି ଖାତା ଖତିୟାନ ପ୍ରମାଣ ନଥିବା ଜଣାପଡିଛି । ଉକ୍ତ ବାସଗୃହ ଭିତରେ ଅଧାଜାଗାରେ ଘରର ଆସବାବପତ୍ର ଥିବାବେଳେ ବାକି ଥିବା ପ୍ରାୟ ଛଅଫୁଟ ଜାଗାରେ ସାନ୍ତନୁଙ୍କ ସମେତ ଛଅପ୍ରାଣୀ ଜୀବନ ବିତାଉଛନ୍ତି । ପଞ୍ଚାୟତର ସେବାକାରୀ ହୋଇଥିବାରୁ ବାସଗୃହ ଖଣ୍ଡେ ପାଇଁ ସେ ବିଭିନ୍ନ ସମୟରେ କାକୁତି ମୀନତି ହେଉଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣୁନାହାନ୍ତି । ୧୨ଫୁଟ ଜାଗା ମଧ୍ୟରୁ ଛଅଫୁଟ ଜାଗାରେ ଛଅପ୍ରାଣୀ ଚଳୁଛନ୍ତି ତାହା ନଦେଖିଲେ ବିଶ୍ୱାସ କରିହେବନି । ବିଗତ ପାଞ୍ଚ ଦଶବର୍ଷ ମଧ୍ୟରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିଲାବାଲାଙ୍କୁ ଆବାସ ଯୋଜନା ଗୁଞ୍ଜେଇ ଦିଆଯାଇଥିବାବେଳେ ନଥିବାବାଲାଙ୍କୁ ଏଥିରୁ ବଞ୍ଚିତ କରାଯାଇଛି । ଯଦିଓ ଏସବୁ କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ଯାଏଁ ପ୍ରଚ୍ଛଦପଟ୍ଟ ସହଯୋଗ ରହିଛି । ଯାହାର ସତ୍ୟାସତ୍ୟ କେବଳ ତଦନ୍ତ ହେଲେ ଜଣାପଡିବ । ସେ ଯାହାବି ହେଉ ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଶାନ୍ତନୁଙ୍କ ଭଳି ଲୋକଙ୍କୁ ଯୋଜନାରେ ସାମିଲ କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ