ଦିନକୁ ଦିନ ବଢ଼ୁଛି ନିଶାଦିଆ ଲୁଟେରାଙ୍କ ଉତ୍ପାତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡରେ ଏବେ ଦିନକୁ ଦିନ ନିଶାଦିଆ ଲୁଟେରାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଏହି ଲୁଟେରାମାନେ ହାଟ ବଜାରକୁ ଆସୁଥିବା ନିରୀହ ଲୋକଙ୍କୁ ନିଶା ଦେଇ ଲୁଟ କରୁଥିବା ଘଟଣା ବାରମ୍ବାର ଘଟିଚାଲିଥିଲେବି ପୁଲିସ ଏହି ଲୁଟେରା ମାନଙ୍କ ସମ୍ପର୍କରେ କୌଣସି ସୁରାକ ପାଇ ପାରୁନି । ଆଜି ଆନନ୍ଦପୁର ଥାନା ଅଧିନସ୍ଥ ଫକିରପୁର ହାଟକୁ ଗୋରୁ ବିକ୍ରି କରିବା ପାଇଁ ଆସିଥିବା ଜଣେ ବୃଦ୍ଧ ଲୁଟେରାଙ୍କ ଶୀକାର ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଆଜି ଅପରାହ୍ନ ୨ଟାବେଳେ ଦୁଇଜଣ ବ୍ୟକ୍ତି ଏକ ବାଇକରେ ଜଣେ ବୃଦ୍ଧଙ୍କୁ ଆଣି ସୋସୋ ଥାନା ସୁନ୍ଦରାପାଳ ନିକଟରେ ରାସ୍ତା କଡରେ ପକାଇ ଦେଇ ପଳାଇଥିଲେ । କିଛି ସମୟପରେ ସେହି ରାସ୍ତାଦେଇ ଯାଉଥିବା ଲୋକମାନେ ଅଚେତ ଅବସ୍ଥାରେ ପଡିଥିବା ବୃଦ୍ଧଙ୍କୁ ଦେଖିଥିଲେ । ଏହି ଖବର ପ୍ରଚାରିତ ହେବାମାତ୍ରେ ଶହଶହ ଲୋକ ସେଠାରେ ପହଞ୍ଚି ତୁରନ୍ତ ହାଟଡିହି ଅଗ୍ନିଶମ ବିଭାଗକୁ ଜଣାଇବାରୁ ଅଗ୍ନିଶମ ବାହିନିର କର୍ମଚାରୀମାନେ ପହଞ୍ଚି ବୃଦ୍ଧଙ୍କୁ ଆଣି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ବୃଦ୍ଧଙ୍କ ପକେଟରୁ ବାହାରିଥିବା ରସିଦରେ ଅଜୟ ଦାସ, ଘର ରାଇପୁର, ଥାନା ଘସିପୁରା ଉଲେଖ ଥିବା ଏକ ବାଲୁଙ୍କେଶ୍ୱର ହାଟ ରସିଦ ବୋଲି ଉଲେଖ ରହିଛି । ସେଥିରେ ସେ ୪୨ଶହ ଟଙ୍କାରେ ଏକ ଗୋରୁ ବିକ୍ରୀ କରିଥିବା ମଧ୍ୟ ଉଲେଖ ଅଛି । ତେଣୁ ଲୁଟେରାମାନେ ଏହି ବ୍ୟକ୍ତିଙ୍କୁ ନିଶାଦେଇ ଅଚେତ କରିବାପରେ ତାଙ୍କ ନିକଟରୁ ଗୋରୁ ବିକ୍ରୀ ଟଙ୍କାକୁ ନେଇ ଯାଇଥିବା ଅନୁମାନ କରାଯାଉଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ୧୨ତାରିଖ ଦିନ ଫକିପୁର ଅଞ୍ଚଳର ଜଣେ ମୁଢ଼ି ବ୍ୟବସାୟୀଙ୍କୁ ନିଶାଦେଇ ଲୁଟ କରିବାପରେ ଚଅମୁହିଁ ନିକଟରେ ରାସ୍ତା କଡରେ ପକାଇଦେଇ ପଳାଇଥିଲେ । ତାର କିଛିଦିନ ପୁର୍ବରୁ ସୋସୋ ଅଞ୍ଚଳର ସେକ ରଜାକ ନାମକ ଜଣେ କବାଡିବାଲା ଠାରୁ ମଧ୍ୟ ସମାନ ଧରରଣର ଲୁଟ ହୋଇଥିଲା । ରଜାକ ଭଙ୍ଗାଲୁହା ସଂଗ୍ରହ କରିବାକୁ ସାଇକେଲ ଧରି ଆସିଥିବାବେଳେ ତାକୁ ମୋଚିନ୍ଦା ନିକଟରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେହିଦିନ ମୁଗୁପୁର ଅଞ୍ଚଳର ଯୁଦ୍ଧିଷ୍ଠିର ଜେନା ଛେଳି ବିକ୍ରୀ କରିବାକୁ ଯାଇଥିବା ବେଳେ ତାଙ୍କୁ ନିଶା ଦେଇ ତାଙ୍କଠାରୁ ଲୁଟ କରିବାପରେ କଇନିପୁରା ନିକଟରେ ପକାଇଦେଇ ପଳାଇଥିଲେ । ସେହିପରି ଗତ କିଛିଦିନ ତଳେ ବସନ୍ତିଆ ହାଟରୁ ଫକିରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ନିଶା ଦେଇ ଲୁଟ କରିବାପରେ ଅଚେତ ଅବସ୍ଥାରେ ସିନନ୍ଦୀ କେନାଲ ନିକଟରେ ପକାଇଦେଇ ପଳାଇଥିଲେ । ଗତ କିଛିଦିନ ଧରି ଆନନ୍ଦପୁର ଉପଖଣ୍ଡରେ ଏପରି ଘଟଣା ବାରମ୍ବାର ଘଟିଚାଲିଥିଲେବି ଓ ଏ ସମ୍ପର୍କରେ ଥାନା ମାନଙ୍କରେ ଅଭିଯୋଗ ହୋଇଥିଲେବି ପୁଲିସ ଏହି ଲୁଟେରା ମାନଙ୍କୁ ଠାବ କରିବାରେ ସକ୍ଷମ ହୋଇପାରିନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ