ଦିନକୁ ୨୩୦୦ କୋଟି ଟଙ୍କା କ୍ଷତି ସହୁଛନ୍ତି ଗାଡ଼ି କମ୍ପାନୀ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଅଟୋ ମୋବାଇଲ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହିଛନ୍ତି । ଅଟୋମୋବାଇଲ ଶିଳ୍ପ ଦୈନିକ ୨୩୦୦ କୋଟି ଟଙ୍କାର କ୍ଷତି ସହୁଛି ବୋଲି ଭାରତୀୟ ଅଟୋମୋବାଇଲ ନିର୍ମାତା ସଂଘ (ସିଆମ) ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ମାସରେ ଯାତ୍ରୀବାହୀ ଯାନର ବିକ୍ରି ୫୧ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ମାର୍ଚ୍ଚରେ ଦେଶରେ ଯାତ୍ରୀବାହୀ ଯାନ ବିକ୍ରି ସଂଖ୍ୟା ୨,୯୧,୬୮୧ ୟୁନିଟ ଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚରେ ଏହା ୧୪୩୦୧୪ ୟୁନିଟକୁ ହ୍ରାସ ପାଇଛି । ସେହିଭଳି ବାଣିଜ୍ୟିକ ଯାନ ବିକ୍ରି ମଧ୍ୟ ମାର୍ଚ୍ଚ ମାସରେ ୮୮.୯୫ ପ୍ରତିଶତ କମିଯାଇ ୧୩,୦୨୭ ୟୁନିଟ ରହିଛି । ଗତବର୍ଷ ମାର୍ଚ୍ଚରେ ଏହା ୧୦୯୦୨୨ ୟୁନିଟ ରହିଥିଲା । ସେହିଭଳି ମାର୍ଚ୍ଚ ମାସରେ ଦୁଇ ଚକିଆ ଯାନ ବିକ୍ରି ୩୯.୮୩ ପ୍ରତିଶତ ହ୍ରାସ ଘଟି ୮,୬୬,୮୪୯ ୟୁନିଟ ରହିଛି । ପୂର୍ବ ବର୍ଷ ମାର୍ଚ୍ଚରେ ଦେଶରେ ଦୁଇ ଚକିଆ ଯାନ ବିକ୍ରି ସଂଖ୍ୟା ୧୪,୪୦,୫୯୩ ୟୁନିଟ ରହିଥିଲା । ତେବେ ସମସ୍ତ ବର୍ଗର ଗାଡ଼ି ବିକ୍ରି ମାର୍ଚ୍ଚରେ ୪୪.୯୫ ପ୍ରତିଶତ ହ୍ରାସ ଘଟି ୧୦,୫୦,୩୬୭ ରହିଛି । ଗତ ବର୍ଷ ମାର୍ଚ୍ଚ ମାସରେ ସବୁ ବର୍ଗର ଗାଡ଼ି ସଂଖ୍ୟା ଦେଶରେ ୧୯,୦୮,୦୯୭ ୟୁନିଟ ରହିଥିଲା । ଚଳିତ ବର୍ଷର ମାର୍ଚ୍ଚ ମାସ ଅଟୋ ଶିଳ୍ପ ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଥିଲା । ଲକଡାଉନ ଯୋଗୁଁ ମାର୍ଚ୍ଚ ଶେଷ ସପ୍ତାହରେ ଗାଡ଼ି ଉତ୍ପାଦନ ଏବଂ ବିକ୍ରି ଠପ୍ ହୋଇଯାଇଥିଲା ବୋଲି ସିଆମ ସଭାପତି ରାଜନ ୱାଧେରା କହିଛନ୍ତି । ଏଥିଯୋଗୁଁ ଗାଡ଼ି କମ୍ପାନୀ ଗୁଡ଼ିକର ରାଜସ୍ୱ ଗୁରୁତର ପ୍ରଭାବିତ ହୋଇଛି । ଅରିଜିନାଲ ଉପକରଣ ନିର୍ମାତାମାନେ ସେମାନଙ୍କ ବ୍ୟବସାୟ ଚଳାଇ ରଖିବା ପାଇଁ ଆବଶ୍ୟକ ପୁଞ୍ଜି ଯୋଗାଡ଼ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସିଆମର ଆକଳନ ଅନୁଯାୟୀ ଅଟୋ ଶିଳ୍ପକୁ ଦୈନିକ ୨୩୦୦ କୋଟି ଟଙ୍କାର କ୍ଷତି ହୋଇଛି । କାରଖାନା ବନ୍ଦ ରହିବା ଯୋଗୁଁ ଉତ୍ପାଦନ ରାଜସ୍ୱ ବାବଦରେ ଦୈନିକ ଏହି କ୍ଷତି ଶିଳ୍ପକୁ ସହିବାକୁ ପଡ଼ୁଛି । ଅଟୋ ମୋବାଇଲ ଶିଳ୍ପ ଉପରେ କରୋନା ଏବଂ ଲକଡାଉନ ପ୍ରଭାବ ଯେଭଳି କମ୍ ରହିବ ସେ ନେଇ ସଂଘ ପକ୍ଷରୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ