ଦିନକୁ ୩ଲକ୍ଷ ନମୁନା ପରୀକ୍ଷା ପାଇଁ ସାମର୍ଥ୍ୟ ବୃଦ୍ଧି
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବେସରକାରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥାଗୁଡ଼ିକ ସହ ମିଶି ଶଯ୍ୟା ବୃଦ୍ଧି ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ଉପଚାର ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଏଥିସହ ସୁଲଭ ମୂଲ୍ୟ ଓ ସେବା ପ୍ରଦାନରେ ସ୍ଵଚ୍ଛତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି । ଏ କ୍ଷେତ୍ରରେ ତାମିଲନାଡୁ, ଓଡିଶା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ପଦକ୍ଷେପ ନେଇସାରିଛନ୍ତି । ସେମାନେ ବେସରକାରୀ ଚିକିତ୍ସାଳୟ ସହ ଆଲୋଚନା କରି ରାଜିନାମା ମଧ୍ୟ କରିସାରିଛନ୍ତି । ସେମାନେ କୋଭିଡ-୧୯ରୋଗୀମାନଙ୍କ ଜଟିଳ ଚିକିତ୍ସା ମଧ୍ୟ କମ ମୂଲ୍ୟରେ କରାଉଛନ୍ତି । ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ନମୁନା ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ଦିନକୁ 3 ଲକ୍ଷ ନମୁନା ପରୀକ୍ଷା କରିବାର ସାମର୍ଥ୍ୟ ରହିଛି । ଏପର୍ଯ୍ୟନ୍ତ ମୋଟ ୫୯,୨୧,୦୬୯ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪,୯୩୫ଟି ନମୁନା ପରୀକ୍ଷା କରାଯାଇପାରିଛି । ଦେଶରେ ନମୁନା ପରୀକ୍ଷା ପାଇଁ ବର୍ତ୍ତମାନ ୯୦୭ଟି ପରୀକ୍ଷାଗାର ରହିଛି । ସେଥିରୁ ୬୫୯ଟି ସରକାରୀ କ୍ଷେତ୍ରରେ ଥିବା ବେଳେ ୨୪୮ଟି ବେସରକାରୀ କ୍ଷେତ୍ରରେ ରହିଛି । ଦିଲ୍ଲୀରେ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି ପାଇଁ ସମସ୍ତ ୧୧ଟି ଜିଲ୍ଲାରେ କେବଳ କରୋନା ପରୀକ୍ଷା ପାଇଁ ପରୀକ୍ଷାଗାର ତିଆରି ହୋଇଛି । ପ୍ରତ୍ୟେକ ଜିଲ୍ଲାରୁ ସେହି ଜିଲ୍ଲାରେ ଥିବା ପରୀକ୍ଷାଗାରକୁ ନମୁନା ପରୀକ୍ଷା ପାଇଁ ପଠାଯାଇ ସମୟୋଚିତ ପରିକ୍ଷଣକୁ ସୁନିଶ୍ଚିତ କରାଯାଉଛି । ବର୍ତ୍ତମାନ ଦିଲ୍ଲୀରେ ଏହିପରି ୪୨ଟି ପରୀକ୍ଷାଗାରରେ ଦିନକୁ ୧୭ ହଜାର ନମୁନା ପରୀକ୍ଷା କରିବାର ସାମର୍ଥ୍ୟ ରହିଛି । ରିଅଲ ଟାଇମ ପିସିଆର ନମୁନା ପରୀକ୍ଷା କୋଭିଡ-୧୯ ରୋଗ ନିରୂପଣ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ଦେଶର ୯୦୭ଟି ପରୀକ୍ଷାଗାରରେ ଏହି ପରୀକ୍ଷା ସାମର୍ଥ୍ୟ ସହଜରେ ବୃଦ୍ଧି କରିହେବ । ତେବେ ଏହି ପରୀକ୍ଷାଗୁଡ଼ିକ ପାଇଁ ସ୍ଵତନ୍ତ୍ର ପରୀକ୍ଷାଗାରର ଆବଶ୍ୟକତା ଦୃଷ୍ଟିରୁ ନମୁନାଗୁଡିକୁ ସେସ୍ଥାନକୁ ନେବା ଆଣିବାରେ ୨ ରୁ ୨.୩୦ ଘଣ୍ଟା ଅଧିକ ସମୟ ଲାଗିଥାଏ । ଟ୍ରୁଏଣ୍ଟ ଏବଂ ସିବି ନାଟ ସହଜ ପରୀକ୍ଷଣ ହୋଇଥିବାରୁ ଏହି ପଦ୍ଧତି ଦୂରଦୂରାନ୍ତ ଅଞ୍ଚଳରେ ଅନୁସୃତ ହେଉଛି । ପରୀକ୍ଷଣକୁ କମ ବ୍ୟୟ ସାପେକ୍ଷ ଓ ନିର୍ଭରଯୋଗ୍ୟ କରିବା ପାଇଁ ଆଇସିଏମଆର ରାପିଡ଼ ଆଣ୍ଟିଜେନ ଡିଟେକ୍ସନ ଟେଷ୍ଟ ନାମକ ଏକ ମାର୍ଗଦର୍ଶିକା ଜାରି କରିଛି। ଏହି ପରୀକ୍ଷା ଆବଧାଞ୍ଚଳରେ କଡା ଡାକ୍ତରୀ ନିରୀକ୍ଷଣ ମାଧ୍ୟମରେ କରାଯାଇପାରିବ । Q କୋଭ୍ଡି-୧୯ Ag ଡିଟେକ୍ସନ କିଟ ମାତ୍ର ୧୫ ମିନଟ ମଧ୍ୟରେ ତାହାର ଫଳାଫଳ ଜଣାଇପାରୁଥିବାରୁ ଏହା ଶୀଘ୍ର ସଂକ୍ରମଣ ନିରୂପଣରେ ସହାୟକ ହୋଇପାରିବ । ଏହି ଆଣ୍ଟିଜେନ ଟେଷ୍ଟ ନମୁନା ପରୀକ୍ଷଣ କେନ୍ଦ୍ରରେ କରାଯାଇ ମାତ୍ର ଘଣ୍ଟାକ ମଧ୍ୟରେ ଫଳାଫଳ ପାଇହେବ । ଦେଶରେ ସ୍ଵଦେଶୀ ଜ୍ଞାନ କୌଶଳରେ ମାସକୁ ପ୍ରାୟ ୧ କୋଟି କିଟ ପ୍ରସ୍ତୁତ ହେଉଛି । ଏହାର ସହଜ ଉପଲବ୍ଧତା ପାଇଁ କେନ୍ଦ୍ର ସରକାର ଘରୋଇ କମ୍ପାନୀଗୁଡ଼ିକୁ ସରକାରୀ GeM ପୋର୍ଟାଲରେ ଅପଲୋଡ କରିବାକୁ କହିଛନ୍ତି । ଲକ୍ଷଣ ବିହୀନ ସମ୍ମୁଖ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆଣ୍ଟିବଡି ପରୀକ୍ଷା ପାଇଁ ଏଲିସା ଏବଂ ସିଏଲଆଇଏ ଆଣ୍ଟିବଡି ଟେଷ୍ଟ କରାଯାଇପାରିବ । ଏହା ସେମାନଙ୍କ ବିଶ୍ବାସକୁ ଦ୍ଵିଗୁଣିତ କରିବ ।